Onn 3

ଆଗରପଡ଼ା-ବରପଦା ରାସ୍ତା ମରାମତି ପ୍ରସଙ୍ଗ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ

State

ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତିକୁ ନାପସନ୍ଦ

ଆଗରପଡ଼ା: ଗତ ୩ ତାରିଖରେ ସିପିଆଇ(ଏମ)ପକ୍ଷରୁ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ଦାବି ପୁର୍ବକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହାର ତୁରନ୍ତ ମରାମତି କରାନଗଲେ ଧାରଣା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । କିନ୍ତୁ ୧୫ ଦିନ ପରେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ସୋମବାର ଦଳ ପକ୍ଷରୁ ଆଗରପଡ଼ା ମୁଖ୍ୟ ବଜାର କୁପାରୀ ଛକ ନିକଟରେ ଧାରଣା ଦିଆଯାଇଥିଲା । ପରେ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପଦଂଚି ମଙ୍ଗଳବାର(୧୮.୦୭.୨୩) ଠାରୁ ରାସ୍ତାର ଉଭୟ ପଟୁ ଫାଟିଥିବା ଅଂଶକୁ ଖୋଳାଯାଇ ପିଚୁ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପରେ ବୁଧବାର ଠାରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ରାସ୍ତା ମରାମତି କାମକୁ ୮ଦିନ ବିତିଯାଇଛି ଓ ରାସ୍ତାରେ ତାଳିପକା କାମ ଚାଲିଛି । ଉକ୍ତ କାମକୁ ଦେଖିଲେ ଏହା କେବଳ ଠିକାଦାର ତ୍ରୁଷ୍ଟିକରଣ ପାଇଁ ବ୍ୟବସ୍ଥା ବୋଲି ଆଲୋଚନା ହେଉଛି । କାରଣ ଏହିପରି କାମ ଆଗରୁ ବହୁଥର ହୋଇଛି ଏବଂ ମରମତି ସରୁସରୁ ପୁଣି ମରାମତି ମାଗିଛି ।

ତେଣୁ ଏହିପରି କାମକୁ ନେଇ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି କାଗଜ କଲମରେ ସୀମିତ ରହିଥିବା ବେଳେ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ରାସ୍ତା ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଥିଲା ।ରାସ୍ତା ଦବି ବା ସହ ଫାଟି ଯାଇଥିବାରୁ ଅନ୍ଧାରରେ ଆସିବା ଅର୍ଥ ମରଣକୁ ଡ଼ାକିବା ସହ ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଏହା ଗମନା ଗମନରେ ବଡ ଼ବିପଦ ସୃଷ୍ଟି କରିବା ସମ୍ଭାବନା ସୃଷ୍ଟି କରିଥିଲା । ଏହିପରି ସ୍ଥିତିରେ ବିଭାଗ ଚୁପ ହୋଇ ବସିପଡ଼ିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଥିଲା । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । କିନ୍ତୁ ଇତି ମଧ୍ୟରେ ୨ବର୍ଷ ପୁରିଯାଇଥିଲେ ସୁଦ୍ଧା ବିଭାଗ ତରଫରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି କୌଣସି ପଦକ୍ଷେପ ନିଆଯାଇନଥିବାରୁ ପୂର୍ତ୍ତବିଭାଗ ରାସ୍ତାଟି ମରଣଯନ୍ତା ପାଲଟିଥିଲା । ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ପକ୍ଷରୁ କରାଯାଇଥିଲା । ମରାମତିକୁ ବର୍ଷେ ନପୂରୁଣୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଦବି ଯିବା ସହ ବହୁ ଜାଗା ଫାଟି କେରା କେରା ହୋଇ ମରଣଯନ୍ତା ପାଲଟିଯାଇଥିଲା ।

ଆଜକୁ ୬ ମାସ ତଳେ ରାସ୍ତା ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାବେଳେ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯିବା ଓ ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବା ଏବଂ ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ଦେଇଥିବା ସୂଚନା ସୂଚନାରେ ରହିଯିବା ପରେ ତାଳିପକା ଏକ ପ୍ରହସନରେ ପରିଣତ ହୋଇଛି । ପ୍ରକାଶ ଥାଉକି;ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହୋଇଛି । ତେଣୁ ରାସ୍ତାର ସ୍ଥାୟୀତ୍ୱକୁ ଆଖି ଆରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ ବିଭାଗୀୟ ଅଧିକାରୀ ନିଜେ ଦେଇଥିବା ପ୍ରତିଶ୍ରୁତି କୁ ପାଳନ ପୂର୍ବକ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଚେଷ୍ଟିତ ହେବାକୁ ସାଧାରଣରେ ଦାବି ହୋଇଛି ।