Onn 3

ସଂସଦ ଭବନରେ କାଉ ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ରାଘବ ଚଢ଼ାଙ୍କୁ ଆକ୍ଷେପ କଲେ ବିରୋଧୀ

National & International

ନୂଆଦିଲ୍ଲୀ: ବୁଧବାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ସଂସଦ ଭବନ ଆସୁଥିବା ବେଳେ ରାଜ୍ୟସଭା ଏମ୍‌ପି ରାଘବ ଚଢା ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିଥିଲେ। ସଂସଦ ଭବନ ବାହାରେ ଫୋନରେ କଥା ହେଉଥିବା ବେଳେ ରାଘବ କାଉ ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଫଟୋ ଓ ଭିଡିଓ ବି ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଘୂରି ବୁଲୁଛି।
ଭାଇରାଲ ଫଟୋ ଓ ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି, ସଂସଦ ଭବନ ବାହା‌ରେ ରାଘବ ଫୋନରେ କଥା ହୋଇହୋଇ ଆସୁଛନ୍ତି। ସେ ଫୋନରେ ବ୍ୟସ୍ତ ଥିବା ବେଳେ କେଉଁଆଡୁ ହଠାତ ଏକ କାଉ ଆସି ରାଘବଙ୍କ ମୁଣ୍ଡକୁ ଖୁମ୍ପି ପକାଇଥିଲା। ରାଘ କାଉ ଆକ୍ରମଣରେ ଭୟଭୀତ ହୋଇଯାଇଥିଲେ। ସେ ମୁଣ୍ଡ ତଳକୁ କରି ଘଟଣାସ୍ଥଳରୁ ଚାଲି ଆସିଥିଲେ।
ସୌଭାଗ୍ୟବଶତଃ କାଉ ଆକ୍ରମଣରେ ରାଘବଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚିନାହିଁ। ତେବେ ଏହି ଘଟଣାକୁ ନେଇ ଦିଲ୍ଲୀ ବିଜେପି ରାଘବଙ୍କୁ ଆକ୍ଷେପ କରି ଲେଖିଛି, ‘ଝୁଟ୍ ବୋଲେ କୋୱା କାଟେ’ କଥାରେ ଶୁଣିଥିଲୁ। ଆଜି ନିଜ ଆଖିରେ ଦେଖିଲୁ ମିଛ କହୁଥିବା ଲୋକଙ୍କୁ କେମିତି କାଉ ଖୁମ୍ପୁଛି।’
ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ରାଘବଙ୍କ ଅବସ୍ଥା ଏବେ କେମିତି ବୋଲି ପ୍ରଶ୍ନ କରିଥିବା ବେଳେ ଅନ୍ୟମାନେ ରାଘବଙ୍କ ଉଦ୍ଦେଶ୍ୟରେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି ।