Onn 3

ଜାଲ ଶିକ୍ଷକଙ୍କ ଗୁମର ଫିଟୁଛି, ଫେଲ ପ୍ରମାଣ ପତ୍ରରେ ୧୫ ବର୍ଷ ଚାକିରି

State

ଆଗରପଡ଼ା:ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ ବର୍ଷର ଚାକିରୀ ପୁଣି ଫେଲ ପ୍ରମାଣ ପତ୍ରରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ବିଣାପଦା କ୍ଲଷ୍ଟର ଅଧିନ ନିରାକାର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ବିଣାପଦା ଠାରେ ଏପରି ଘଟଣା ଘଟିଛି । କିଛି ଦିନ ତଳେ କେତେ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ତାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ଜୋର ଧରିଥିଲା । ଏବଂ ଏହି ପରିପ୍ରେକ୍ଷିରେ ସରକାର ପ୍ରମାଣପତ୍ରର କଡ଼ାକଡ଼ି ଯାଂଚ ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଂଚ ପ୍ରକ୍ରିୟା ସରିବାକୁ ଇତି ମଧ୍ୟରେ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଳାରେ କେତେ ଶିକ୍ଷକ ଜାଲ ପ୍ରମାଣପତ୍ର ଧାରୀ ତାହା ବିଭାଗର ନାଲି ଫିତା ତଳେ ବନ୍ଧା ହୋଇ ରହି ଯାଇଥିବା ଜଣାପଡ଼ିଛି । ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସୂଚନା ଅନୁଯାୟୀ;ବାସୁଦେବପୁର ବ୍ଲକ ଶିକ୍ଷା ବିଭାଗ ଅର୍ନ୍ତଗତ ବିଣାପଦା କ୍ଲଷ୍ଟର ଅଧିନ ନିରାକାର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ବିଣାପଦାରେ ଜନୈକ ସହକାରୀ ଶିକ୍ଷକ(ସୁଦର୍ଶନ ଦାସ) ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ସେ ଜାଣିବାକୁ ପାଇଥିଲେ ।

ଉକ୍ତ ଶିକ୍ଷକ ୨୦୦୮ ମସିହା ଫେବୃଆରୀ ମାସ ୨୮ ତାରିଖରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଏ,ବିଇଡ଼ିର ପ୍ରମାଣ ପତ୍ର ଦେଇ ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ପାଇଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ,ବିଇଡ଼ି କିନ୍ତୁ ସେ ଦେଇଥିବା ବିଇଡ଼ି ପ୍ରମାଣ ପତ୍ରଟି ଭୂଲ ବୋଲି ଶ୍ରୀ ସାମନ୍ତ ଜାଣିବାକୁ ପାଇଥିଲେ । ସେ ୨୦୨୨ ମସିହା ଅଗଷ୍ଟ ମାସ ୨୬ ତାରିଖରେ ଏଥିନେଇ ଲିଖିତ ଅଭିଯୋଗ କରି ବାସୁଦେବପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ପରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୪୧୧୦/୨୨.୦୯.୨୦୨୨ ଏବଂ ପୁନଶ୍ଚ ସ୍ୱାରକ ଚିଠି ନଂ ୨୫୮୧/୧୨.୦୭.୨୦୨୩ ରେ ତାଙ୍କ ପ୍ରମାଣ ପତ୍ର ଯାଂଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ,ବାଣୀବିହାର,ଭୁବନେଶ୍ୱରକୁ ପଠାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ କଣ୍ଟ୍ରୋଲର ଅଫ ଏକ୍ସାମିନର ପକ୍ଷରୁ ଶ୍ରୀ ଦାସ ଚାକିରି ସମୟରେ ଦେଇଥିବା ବିଇଡ଼ି ପ୍ରମାଣପତ୍ର ଜାଲ ବୋଲି ଚିଠି ନଂ ୧୫୧୩୪/୨୧.୦୭.୨୦୨୩ରେ ସୂଚନା ମିଳିବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଦେଶ ନଂ ୨୮୦୯/୨୧.୦୭.୨୦୨୩ରେ ଶ୍ରୀ ଦାସଙ୍କୁ ନିଜ କାର୍ଯ୍ୟରୁ ନିଳମ୍ବନ କରିବା ସହ ଜାଲ ପ୍ରମାଣ ପତ୍ରରେ ଚାକିରି କରୁଥିବାରୁ ଥାନାରେ ତାଙ୍କ ବିରୁଦ୍ଧରେ ଚିଠି ନଂ ୨୮୧୩/୨୧.୦୭.୨୩ରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଉଠେଯେ ଶିକ୍ଷା ବିଭାଗ ସବୁ ସମୟରେ ପ୍ରମାଣ ପତ୍ରର ଯାଂଚ କରୁଥିବା ବେଳେ କିପରୀ ଜଣେ ଶିକ୍ଷକ ୧୫ ବର୍ଷ ଧରି ଶିକ୍ଷକତା କରିଆସୁଛନ୍ତି । ତେଣୁ ବିଭାଗ ପକ୍ଷରୁ ଏଥିରେ କେଉଁମାନେ ସଂପୃକ୍ତ ତାହା ଖୋଜିବାହାର କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।