Onn 3

ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ଚିରଞ୍ଜୀବଙ୍କ ସମର୍ଥକ

Politics State

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ତାଙ୍କୁ ବହିଷ୍କାର କରିଛି। ଆଜି ଶୃଙ୍ଖଳା କମିଟିର ବୈଠକ ବସିଥିଲା। ଏହି ବୈଠକର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି  ହୋଇଛି। ବିଧାୟକ ତଥା ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏକ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି।

ସାଲୁଜା ବିବୃତ୍ତି ଜାରି କରି କହିଛନ୍ତି,  କଂଗ୍ରେସ ଦଳ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ କଟୂ ମନ୍ତବ୍ୟ ଦେଇଛନ୍ତି। ଏହା ଦଳର ଶୃଙ୍ଖଳାକୁ ଭଙ୍ଗ କରୁଛି। ତେଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନାରାୟଣ ଜେନାଙ୍କୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ନିକଟରେ ବିଧାୟକ ମହମ୍ମଦ ମୋକିମ ଏବଂ ଚିର଼ଞ୍ଜୀବ ବିଶ୍ବାଳ ନିଲମ୍ବିତ ହୋଇଛନ୍ତି। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ବିଷେଦଗାର କରିଥିଲେ। ଏବଂ ଦୁଇ ନେତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ନାରାୟଣ ଜେନା ଦାବି କରିଥିଲେ। ଏମିତିକି ନଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲେ।

ଉଲ୍ଲେଖଯୋଗ୍ଯ, ନାରାୟଣ ଜେନା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କର ଜଣେ ଦୃଢ ସମର୍ଥକ। ଆଜି ଶୃଙ୍ଖଳ କମିଟି ବୈଠକ କଂଗ୍ରେସ ଭବନରେ ବସିବାର ଥିଲା। କିନ୍ତୁ ନିଲମ୍ବିତ ଦୁଇ ନେତାଙ୍କ ସମର୍ଥକ କଂଗ୍ରେସ ଭବନ ଭିତରକୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହାପରେ ବିଧାୟକ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ ବସିଥିଲା।