Onn 3

କର୍ଣ୍ଣାଟକରୁ ରାଜ୍ୟସଭାକୁ ଯିବେ ସୋନିଆ

National & International

ନୂଆଦିଲ୍ଲୀ : ସମ୍ପ୍ରତି ଲୋକସଭା ସଦସ୍ୟା ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ଯାଇପାରନ୍ତି । ସୋନିଆ ଯଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁରୋଧ ରକ୍ଷା କରନ୍ତି; ତେବେ ଏହା ସମ୍ଭବ ହେବ। ବର୍ତ୍ତମାନର ବାସଭବନ ୧୦-ଜନପଥରେ ରହିବା ପାଇଁ ହେଲେ ସୋନିଆଙ୍କୁ ସଂସଦର ସଦସ୍ୟ ପଦ ବଜାୟ ରଖିବାକୁ ହେବ। ସେ ଦୃଷ୍ଟିରୁ ଅସୁସ୍ଥ ସୋନିଆଙ୍କ ପାଇଁ ରାଜ୍ୟସଭା ସଦସ୍ୟପଦ ସୁରକ୍ଷିତ ବୋଲି ବିଚାର କରାଯାଉଛି । ରାଜୀବ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା ସମୟରୁ, ୧୯୮୯ରୁ ସୋନିଆ ଏଠାରେ ବାସ କରିଆସୁଛନ୍ତି। ଗାନ୍ଧୀ-ନେହରୁ ପରିବାର ସଦସ୍ୟ ପାରମ୍ପରିକ ଭାବେ ୧୦-ଜନପଥରେ ରହିଆସୁଛନ୍ତି।

୨୦୨୪ ଏପ୍ରିଲ ୨ ସୁଦ୍ଧା କର୍ଣ୍ଣାଟକର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଧାନସଭାରେ ସଦସ୍ୟ ସଂଖ୍ୟା ଅନୁସାରେ କଂଗ୍ରେସ ୪ଟି ମଧ୍ୟରୁ ତିନିଟି ଆସନରେ ଜିତିବା ନିଶ୍ଚିତ। ଏଥିପାଇଁ ଏବେଠାରୁ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚା ହେଲାଣି। ବର୍ତ୍ତମାନ ସଦସ୍ୟ ଥିବା ସୟଦ ନାସିର ହୁସେନ୍‌ ଓ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେଙ୍କ ନାମ ସୋନିଆଙ୍କ ସହ ଶୁଣାଯାଉଛି। ନିକଟରେ ସଂସଦର ସଭ୍ୟ ନଥିବାରୁ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ପଡ଼ିଛି; ତେଣୁ ସୋନିଆଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ସୋନିଆ ଥରେ ଆମେଠି ଓ ୪ଥର ରାୟବରେଲିରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଅସୁସ୍ଥତା କାରଣରୁ ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ନହୋଇ ରାୟବରେଲି ଆସନ ପ୍ରିୟଙ୍କାଙ୍କୁ ଛାଡ଼ିବା ସମ୍ଭାବନା ରହିଛି।