Onn 3

ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି, ସ୍କୁଲରେ ତାଲା ପକାଇଲେ ଅଭିଭାବକ

State

ଆଗରପଡ଼ା:ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ପିଲା ସଂଖ୍ୟା ଓ ଦୂରତ୍ୱ ପରି ବିଭିନ୍ନ ଦୃଷ୍ଟି କୋଣରୁ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବଂ ଏହି ପରି ପ୍ରେକ୍ଷିରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବହୁ ବିଦ୍ୟାଳୟକୁ ଅନ୍ୟ ବିଦ୍ୟାଳୟ ସହ ମିଶାଇ ଦିଆଯାଇଥିଲା । କିନ୍ତୁ ବହୁ ସ୍ଥାନରେ ଏବେବି ଅଭିଭାବକ ମାନେ ଉକ୍ତ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରୁଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଚାରିଘରିଆ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ; ସ୍ଥାନୀୟ ଚାରିଘରିଆ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ସରକାରୀ ନିୟମ ଅନୁସାରେ ନିକଟରେ ଥିବା ଟିକିରା ବିଦ୍ୟାଳୟ ସହିତ ମିଶ୍ରଣ ହୋଇଥିଲା । ମାତ୍ର ଗୁରୁବାର ତତ୍କାଳୀନ ପ୍ରଧାନଶିକ୍ଷୟତ୍ରୀ ବିଇଓ ନିର୍ଦ୍ଦେଶ ପାଇ ସ୍କୁଲ ସାମଗ୍ରୀ ଗୁଡ଼ିକ ସ୍ଥାନୀୟ ସରପଂଚଙ୍କୁ ହସ୍ତାନ୍ତର କରିବାକୁ ଯାଇଥିବା ବେଳେ ଚାରିଘରିଆ ଓ ଭବାନୀଗଞ୍ଜ ଗ୍ରାମର ଅଭିଭାବକମାନେ ଏହାକୁ ତୀବ୍ର ବିରୋଧ କରି ସ୍କୁଲରେ ତାଲା ପକାଇଦେଇଥିଲେ । ଯଦ୍ୱାରା ତତ୍କାଳୀନ ପ୍ରଧାନଶିକ୍ଷୟତ୍ରୀ କୈାଣସି ସାମଗ୍ରୀ ସରପଂଚଙ୍କୁ ହସ୍ତାନ୍ତର କରିପାରି ନଥିଲେ । ଏଠାରୁ ଛୋଟପିଲାମାନେ ଟିକିରା ସ୍କୁଲକୁ ମୁଖ୍ୟବଜାର ଦେଇ ଯାଆଆସ କରୁଛନ୍ତି ଯାହାକି ସବୁବେଳେ ତାଙ୍କ ଜୀବନ ପ୍ରତି ବିପଦ ରହୁଛି । ଏହି ସ୍କୁଲକୁ ପୁଣି ଚାଲିବା ପାଇଁ ଅନୁମତି ଦେବା ଦାବିରେ ସ୍କୁଲରେ ତାଲା ପକାଇ ବିରୋଧ କରୁଛନ୍ତି ବୋଲି ଅଭିଭାବକମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି ।