Onn 3

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

State

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ।

ଏହି ଯୋଜନାରେ ବାଲିଗୁଡା ବ୍ଲକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ। କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।

ସୂଚନାଯୋଗ୍ୟ, ଚଳିତ ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଗ ନଦୀରେ ଏକ ବ୍ୟାରେଜ ନର୍ମାଣ ପାଇଁ ଦାବୀ ପତ୍ର ଦେଇଥିଲେ। ଏ ସମ୍ପର୍କରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ।