Onn 3

କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ

National & International

ବେଙ୍ଗାଲୁରୁ : ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍‌ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବଡ଼ ଘୋଷଣା କରିଛି।
କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀଙ୍କ ମହାବୈଠକରେ ସ୍ପଷ୍ଟ କରିଛନ୍ତି। ଏହାର ଅର୍ଥ ଯଦି ବି ବିରୋଧୀ ମେଣ୍ଟ ୨୦୨୪ରେ କ୍ଷମତା ଦଖଲ କରନ୍ତି, ତା’ହେଲେ କଂଗ୍ରେସରୁ କେହି ବି ପ୍ରଧାନମନ୍ତ୍ରୀ ପଦରେ ବସିବେ ନାହିଁ।
ଖଡଗେ କହିଛନ୍ତି, “କଂଗ୍ରେସ ଆଦୌ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ରଖିନାହିଁ। ନିଜ ପାଇଁ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ଆମର ଏହି ବୈଠକ ନୁହେଁ। ସମ୍ବିଧାନ,ଗଣତନ୍ତ୍ର, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ଏହି ବୈଠକ କରାଯାଉଛି। ମୁଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନରେ ମଧ୍ୟ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନଥିବା କହିଥିଲି।”
ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି, “ଆମେ ୨୬ଟି ଦଳ। ୧୧ଟି ରାଜ୍ୟରେ ଆମମାନଙ୍କର ସରକାର ରହିଛି। ବିଜେପି ଏକାକୀ ୩୦୩ ସନ ଆଉ ଜିତି ପାରିବ ନାହିଁ। ବିଜେପି ସହଯୋଗୀମାନଙ୍କ ଭୋଟକୁ ବ୍ୟବହାର କରିବ। ଏହାପରେ ସେମାନଙ୍କ ଠାରୁ ସମ୍ପର୍କ ତୁଟାଇ ଦେବ। ଆମେ ଭଲ ଭାବେ ଜାଣିଛୁ ଯେ ରାଜ୍ୟସ୍ତରରେ ଆମମାନଙ୍କ ମଧ୍ୟରୁ କିଛି ଜଣଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି।
ଏହି ମତପାର୍ଥକ୍ୟ ବିଚାରଧାରାଗତ ନୁହେଁ। ମତପାର୍ଥକ୍ୟ ଏତେ ବଡ଼ ନୁହେଁ ଯେ ଆମେ ସାଧାରଣ ଲୋକ, ମଧ୍ୟବିତ୍ତ, ଯୁବପିଢ଼ି, ଗିରବ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ ଏହାକୁ ଭୁଲି ପାରିବୁ ନାହିଁ। ଆମେ ନିଶ୍ଚିତ ମତପାର୍ଥକ୍ୟର ସମାଧାନ କରିବୁ।”
ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ଖଡେଗଙ୍କ ବ୍ୟତୀତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଷ୍ଟାଲିନ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ, ମମତା ବାନାର୍ଜୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଭଳି ହେଭିୱେଟ ଯୋଗ ଦେଇଛନ୍ତି।
ପ୍ରଥମ ଦିନ ଅର୍ଥାତ ସୋମବାର ଅନୁପସ୍ଥିତ ଥିବା ଏନସିପି ମୁଖ୍ୟ ଶରଦ ପାୱାର ଆଜି ବେଙ୍ଗାଲୁରୁରେ ପହଞ୍ଚି ବୈଠକରେ ସାମିଲ ହୋଇଛନ୍ତି।