Onn 3

ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ: ଧାରଣାରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ

State

ଭୁବନେଶ୍ଵର: ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ। ଏପରି ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ଅଭିଭାବକ। ଆନ୍ଦୋଳନ ବସିବା ସମୟରେ କିଛି ଛାତ୍ରୀ ଚେତାଶୂନ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ବାଳକ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍ -୯ ବାଳକ ହାଇସ୍କୁଲ ତୁଳନାରେ ଭଲ ନମ୍ବର ରଖୁଛନ୍ତି । ଏକାଧିକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି । ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନର ସତା ହଜାଇଦେବା ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରୀ ବିରୋଧ କରିଛନ୍ତି । ସେପଟେ ଘଟଣା ସ୍ଥଳରେ କଂଗ୍ରେସ ନେତା ସୁର ରାଉତରାୟ ପହଞ୍ଚି ଏହାକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରେ ପ୍ରାୟ୫୦୦ ଛାତ୍ରୀ ପଢୁଥିବା ବେଳେ କାହିଁକି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ। ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଛନ୍ତି।  ସେ କହିଛନ୍ତି, ଏହି ଘଟଣା ବିଷୟରେ ସରକାରଙ୍କୁ ଅବଗତ କରାଇବି। ମୋ ହାତରେ କିଛି ନାହିଁ।  ହେଲେ ଏପର୍ଯ୍ୟନ୍ତି କୌଣସି ଶିକ୍ଷା ବିଭାଗର କୌଣସି ବରିଷ୍ଠ ଅଧିକାରୀ କି ମନ୍ତ୍ରୀ ପହଞ୍ଚି ନାହାନ୍ତି।