Onn 3

ଛାତ ଉପରେ ସାଙ୍ଗସହିତ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ଉପରେ ପଡ଼ିଲା ଉଲକାପିଣ୍ଡ

National & International

ନୂଆଦିଲ୍ଲୀ: ନିକଟ‌ରେ ଜଣେ ମହିଳାଙ୍କ ସହିତ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ମହିଳା ଜଣକ ଫ୍ରାନ୍ସରେ ବସବାସ କରନ୍ତି। ସେ ଛାତ ଉପରେ ଛିଡ଼ା ହୋଇ ସାଙ୍ଗଙ୍କ ସହିତ କଫି ପିଉଥିବା ବେଳେ ତାଙ୍କ ଉପରେ ଆକାଶରୁ ଏକ ଅଜଣାବସ୍ତୁ ଖସିପଡ଼ିଥିଲା। ଯାହାକୁ ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ବସ୍ତୁକୁ ଦେଖି ସେ ଏକ ସିମେଣ୍ଟ ଖଣ୍ଡ ବୋଲି ଭାବିଥି‌ଲେ।
ଏହାପରେ ଏହି ବସ୍ତୁକୁ ନେଇ ସେ ଘର କାମ କରୁଥିବା ଜଣେ ମିସ୍ତ୍ରୀଙ୍କୁ ଦେଖାଇଥିଲେ। ସେ କହିଥିଲେ ଏହା କୌଣସି ପ୍ରକାର ସିମେଣ୍ଟର ଖଣ୍ଡ ନୁହେଁ। ପରେ ଭୂବୈଜ୍ଞାନିକଙ୍କୁ ଏବିଷୟରେ ପଚାରିବାରୁ ସେ କହିଥିଲେ ଏହି ଖଣ୍ଡ ଏକ ଉଲକାପିଣ୍ଡ। ଯାହାର ଓଜନ ୧୦୦ଗ୍ରାମ ରହିଛି।
ଭୂବୈଜ୍ଞାନିକ ଡକ୍ଟର ଥିଏରି ରେବମ୍ୟାନ କହିଛନ୍ତି କି, ଏମିତି ବସ୍ତୁ ମଣିଷ ଉପରେ ପଡ଼ିବା ହେଉଛି ଦୁର୍ଲଭ ଘଟଣା। ପ୍ରତିଦିନ ପାଖାପାଖି ୫୦ଟନ ଉକାପିଣ୍ଡ ପୃଥିବୀରେ ପଡ଼ୁଥିବାର ଅନୁମାନ କରାଯାଇଛି। କିନ୍ତୁ ଏହାକୁ ଖୋଜି ପାଇବା ସହଜ ହୋଇ ନଥାଏ। କାରଣ ଏହା ଅନ୍ୟ ବସ୍ତୁ ଯେମିତି ଗୋଡ଼ି, ସିମେଣ୍ଟ ଓ ପଥର ସହିତ ମିଶି ଯାଇଥାଏ। ପୃଥିବୀରେ ପଡ଼ୁଥିବା ଉଲକାପିଣ୍ଡକୁ ମରୁଭୂମିରେ ଖୋଜିଲେ ସହଜରେ ମିଳିଥାଏ।
ମଣିଷ ଉପରେ ଉଲକାପିଣ୍ଡ ପଡ଼ିବାର ପ୍ରଥମ ଘଟଣା ୧୯୫୪ରେ ଘଟିଥିଲା। ଏହି ଘଟଣା ଆମେରିକାରେ ଘଟିଥିଲା। ଏଠାରେ ବସବାସ କରୁଥିବା ଜଣେ ମହିଳାଙ୍କ ଉପରେ ୩.୬କିଲୋଗ୍ରାମର ଉଲକାପିଣ୍ଡ ପଡ଼ିଥିଲା। ଏଥିରେ ମହିଳା ଗୁରୁତର ଆହତ ବି ହୋଇଥିଲେ ବୋଲି ଖବର ମିଳିଥିଲା।