Onn 3

ସୋସିଆଲ ମିଡିଆରେ ସକ୍ରିୟ ରୁହ, ବିରୋଧୀଙ୍କ ବିଭ୍ରାନ୍ତକର ତଥ୍ୟକୁ ପ୍ରତିରୋଧ କର: ନବୀନ ପଟ୍ଟନାୟକ

Politics State

ଭୁବନେଶ୍ୱର: ଅଧିକରୁ ଅଧିକ ଛାତ୍ର ବିଜେଡି ସଦସ୍ୟ ସୋସିଆଲ ମିଡିଆରେ ସକ୍ରିୟ ହୁଅନ୍ତୁ । ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରନ୍ତୁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଛ କାହାଣୀରେ ବିଶ୍ବାସ କରନ୍ତି । କିନ୍ତୁ ଆମେ ପ୍ରକୃତ ତଥ୍ୟ ସହିତ ବିରୋଧୀଙ୍କ ସାମ୍ନା କରିବା ଓ ଲୋକଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା । ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଯୋଗଦେଇ ସଂଗଠନ ସଦସ୍ୟମାନଙ୍କୁ ପରାମର୍ଶ ଦେବା ସହିତ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଛାତ୍ରମାନେ ହେଉଛନ୍ତି ଦେଶର ଓ ସମାଜର ଭବିଷ୍ୟତ । ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ରାଜ୍ୟ ସରକାର ମଜଭୁତ କରିଛନ୍ତି ।

ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ବ ଦିଆଯାଛି । ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ୨ ହଜାର ମସିହାରେ ରାଜ୍ୟରେ ୬ଟି ବିଶ୍ବବିଦ୍ୟାଳୟ ଥିଲା । ଆଜି ୧୮ଟି ବିଶ୍ବବିଦ୍ୟାଳୟ ହୋଇଛି । ୨ ହଜାର ମସିହାରେ ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ୧୧ଟି ସରକାରୀ ମେଡିକାଲ କଲେଜ ହୋଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ରକ୍ତଦାନ, ବୃକ୍ଷ ରୋପଣ କରୁଥିବାରୁ ବିଜୁ ଛାତ୍ର ଜନତା ଦଳ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ଓ ୫ ହଜାର ହଷ୍ଟେଲ ନିର୍ମାଣ ସହିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।