Onn 3

ବିଶ୍ୱର ୭୩.୫ କୋଟି ଲୋକ କ୍ଷୁଧାର୍ଥ; ଜାତିସଂଘ ରିପୋର୍ଟ

National & International

ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ କରିବାକୁ ଜାତିସଂଘ ଯେଉଁ ଲକ୍ଷ୍ୟ ରଖିଛି, ତାହା ପୂରଣ ହେବା ନିଶ୍ଚିତ ଭାବେ କଷ୍ଟସାଧ୍ୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । କୋଭିଡ୍ ପରବର୍ତ୍ତୀ ସମୟରେ ଏକାଧିକ ରାଷ୍ଟ୍ରର ଅର୍ଥନୀତି ସୁଧୁରିଯାଇଥିବାବେଳେ ଗତବର୍ଷ କ୍ଷୁଧାର୍ଥ ହାର କମିବ ବୋଲି ଆଶା କରାଯାଉଥିଲା ।

ତେବେ ୨୦୨୨ରେ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଖାଦ୍ୟ ସଙ୍କଟ ପୁଣି ମୁଣ୍ଡ ଟେକିଥିଲା । ଫଳରେ ୨୦୧୯ ତୁଳନାରେ ୨୦୨୨ରେ କ୍ଷୁଧାର୍ଥଙ୍କ ସଂଖ୍ୟା ୧୨.୨ କୋଟି ବୃଦ୍ଧି ପାଇଥିଲା ବୋଲି ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଫୁଡ୍ ସିକ୍ୟୁରିଟୀ ଆଣ୍ଡ୍ ନ୍ୟୁଟ୍ରିସନ ଇନ୍ ଦି ୱାର୍ଲ୍ଡ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୩୦ ମସିହା ସୁଦ୍ଧା ବିଶ୍ୱରେ ୬୦ କୋଟି ଲୋକ କୁପୋଷଣର ଶିକାର ହେବେ ବୋଲି ରିପୋର୍ଟରେ ଆଶଙ୍କାବ୍ୟକ୍ତ କରାଯାଇଛି । କ୍ଷୁଧାର୍ଥଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଏକ ଅଶୁଭ ସଙ୍କେତ ବୋଲି ଫାଓ (ଫୁଡ୍ ଆଣ୍ଡ୍ ଏଗ୍ରିକଲଚର ଅର୍ଗାନାଇଜେସନ)ର ଚିଫ୍ ଇକୋନୋମିଷ୍ଟ ମାକ୍ସିମୋ ଟରେରୋ କ୍ୟୁଲେନ୍ କହିଛନ୍ତି ।

ବିଭିନ୍ନ ରାଷ୍ଟ୍ରରେ ଚାଲିଥିବା ଗୃହଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, କୋଭିଡ୍ ପରବର୍ତ୍ତୀ ଅର୍ଥନୈତିକ ସଙ୍କଟ ଯୋଗୁଁ କ୍ଷୁଧାହାର ବୃଦ୍ଧି ପାଉଥିବା ରିପୋର୍ଟରେ କୁହାଯାଇଛି । ଦକ୍ଷିଣ ଆମେରିକା ଓ ଏସିଆ ମହାଦେଶର କେତେକ ରାଷ୍ଟ୍ରରେ କ୍ଷୁଧାର୍ଥଙ୍କ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା କ୍ୟାରିବିୟାନ୍‌, ପଶ୍ଚିମ ଏସିଆ ଓ ଆଫ୍ରିକାରେ ଏହା ମୁଖ୍ୟ ସମସ୍ୟାଭାବେ ଉଭା ହୋଇଛି । ଏହି ସମସ୍ୟାର ସଫଳ ମୁକାବିଲା ପାଇଁ ସଂପୃକ୍ତ ରାଷ୍ଟ୍ରଗୁଡିକ ଲୋକାଲ ଫୁଡ୍ ସପ୍ଲାଇ ଚେନ୍‌କୁ ଶକ୍ତିଶାଳୀ କରିବା ସହ ମାନବିକ ସହାୟତା ବୃଦ୍ଧି କରିବା ଜରୁରୀ ବୋଲି ଇଣ୍ଟରନ୍ୟାସନାଲ ଏଡ୍ ଗ୍ରୁପ୍ ମର୍ସି କର୍ପସର ଫୁଡ୍ ସିଷ୍ଟମ ଡାଇରେକ୍ଟର କେଭିନ ମୁଗେନ୍ୟା କହିଛନ୍ତି । ପ୍ରଭାବିତ ରାଷ୍ଟ୍ରଗୁଡିକ ଆଞ୍ଚଳିକସ୍ତରରେ କ୍ଷୁଧା ସମସ୍ୟାର ସମାଧାନ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।