Onn 3

ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍

State

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ବାର୍ଷିକ ପ୍ରଦର୍ଶନ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହୋଇଛି କି ନାହିଁ ଏବଂ ଭିତ୍ତିଭୂମିରେ କିଛି ତ୍ରୁଟି ରହିଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ଅଡିଟ୍ କରାଯିବ। ପ୍ରତି ମାସରେ ଏହାର ପ୍ରତ୍ୟେକ ଡିଭିଜନକୁ ବରିଷ୍ଠ ଅଧିକାରୀଙ୍କ ଗସ୍ତ ସୁବିଧା ପାଇଁ ମଧ୍ୟ ଓଇଆରସି ଟିପିସିଓଡିଏଲକୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ଓଭରଲୋଡିଂ କିମ୍ବା ଲୋଡ୍ ସେଡିଂ ଯୋଗୁଁ ବିଦ୍ୟୁତ୍ କାଟ ହେଉନାହିଁ ବୋଲି ଟାଟା ପାଓ୍ୱାର ପକ୍ଷରୁ କୁହାଯାଇଛି। ଚଳିତ ଗ୍ରୀଷ୍ମଋତୁରେ ରାଜ୍ୟରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ ପାଇଁ ବିତରଣ କମ୍ପାନୀ କାଳବୈଶାଖୀ ବର୍ଷାକୁ ଦାୟୀ କରିଆସୁଛି।

ତେବେ ସାମାନ୍ୟ ବର୍ଷା ପରେ ବି ବିଦ୍ୟୁତ୍ ବିଭ୍ରାଟରୁ ନିସ୍ତାର ନ ମିଳିବାରୁ ପ୍ରାୟ ପ୍ରତ୍ୟେକ ଦିନ ବିଦ୍ୟୁତ୍ କାଟକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭ ଖବରର ଶିରୋନାମା ପାଲଟିଛି।

ତୃତୀୟ ପକ୍ଷ ଅଡିଟ କରିବାକୁ ଓଇଆରସି ନିଷ୍ପତ୍ତି ନେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶାରେ ବିଜୁଳି ବିତରଣ ଭିତ୍ତିଭୂମିର ଉନ୍ନତି ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ ଯେଭଳି ପ୍ରଭାବୀ ଢଙ୍ଗରେ ବ୍ୟବହାର କରାଯିବ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଅଡିଟ୍ ସମୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେବାର କାରଣ ମଧ୍ୟ ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିବା ଉଚିତ।

ଓଡ଼ିଶାରେ ବିଜୁଳି ଯଥେଷ୍ଟ ବଳକା ରହିଛି। ତେଣୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇବାକୁ ହକଦାର ବୋଲି ଦାବି ହୋଇ ଆସୁଛି। ଓଇଆରସିର ଅଡିଟ୍ ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସ୍ଥିତିରେ ସୁଧାର ଆଣିବାରେ ସହାୟକ ହେବା ବୋଲି ଆଜିର ସମୀକ୍ଷା ବୈଠକ ପରେ ମତ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ସଦ୍ୟତମ ଘଟଣାକ୍ରମରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ମୁଖ୍ୟ ରାସ୍ତାରେ ଟାଟା ପାଓ୍ୱାର ପକ୍ଷରୁ ବାରମ୍ବାର ଓ ଅଘୋଷିତ ବିଦ୍ୟୁତ୍ କାଟ୍ କରାଯିବାରୁ ଉତ୍ୟକ୍ତ ଲୋକେ ମଙ୍ଗଳବାର ରାତି ସାରା ରାସ୍ତା ଅବରୋଧ କରିବା ପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସେହିପରି ଟିପିଏସଓଡିଏଲର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ଅଭିଯୋଗରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ।