Onn 3

ବାରିପଦା ସହରାଞ୍ଚଳରେ କୁତ୍ରିମ ବନ୍ୟା ସହ ମଶାର ପ୍ରାଦୁର୍ଭାବ, ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

State

ବାରିପଦା: ବାରିପଦା କ୍ଷୁଦ୍ର ଜଳସେଚନ(MI) ବିଭାଗର ଦୂରଦୃଷ୍ଟି ଅଭାବଯୋଗୁଁ ବାରିପଦା ସହରାଞ୍ଚଳରେ କୁତ୍ରିମ ବନ୍ୟା ସହ ମଶାର ପ୍ରଚୁର ପ୍ରାଦୁର୍ଭାବ ଦେଖାଦେଇଛି ମାତ୍ର ବିଭାଗ ଜନହିତ କାର୍ଯ୍ୟରେ ନିଦାବିଷ୍ଣୁ ସାଜି ବସିଥିବା ବେଳେ ଠିକାଦାର ପ୍ରୀତିକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଫଳରେ ସାଧାରଣଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏପରିକି ସାମାନ୍ୟ ଟିକେ ବର୍ଷାରେ ମଧ୍ୟ ସହରର ଅନେକ ସ୍ଥାନରେ କୁତ୍ରିମ ବନ୍ୟାର ପରିସ୍ଥିତି ସୃଷ୍ଟି ସହିତ ନାଳ ନର୍ଦ୍ଦମା ପାଣି ଲୋକଙ୍କ ଘରେ ଓ ଦୋକାନ ବଜାରରେ ପଶୁଛି । ଏହି ପାଣି ଅନେକ ସ୍ଥାନରେ ଜମି ରହିବାରୁ ମଶାବଂଶ ବୃଦ୍ଧି ପରେ ପ୍ରାଦୁର୍ଭାବ ମଧ୍ୟ ବଢ଼ି ଚାଲିଛି | ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳ ଗୁଡିକରୁ ଦୀର୍ଘ ୮ବର୍ଷରୁ ଉର୍ଦ୍ଧ୍ବ ହେଲାଣି ପଙ୍କ ଉଦ୍ଧାର ଓ ଦଳ ସଫେଇ ନ ହେବା ସହିତ ନଦୀର ଉଭୟ ପାର୍ଶ୍ୱକୁ ପଥର ପ୍ୟାକିଙ୍ଗ ନହେବା ଦ୍ୱାରା ଛୋଟ ଛୋଟ ବର୍ଷାରେ ପାଣି ନିଷ୍କାସନ ନହୋଇ ବନ୍ୟାର ପରିସ୍ଥିତି ସୃଷ୍ଟି ହେଲାଣି ।

ପୁଣି ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ, ଖୁଣ୍ଟା ବ୍ଲକ ଏରିଆରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଅଛି |ଏଣୁ ସାଧାରଣ ଜନତାଙ୍କୁ ଉନ୍ନତ ସେବା ଯୋଗାଇଦେବା ସକାଶେ ଆଜି ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲା ସଭାପତି ପିଣ୍ଟୁ ମାଈତି ଙ୍କ ନେତୃତ୍ୱରେ ଆଜି ସର୍ବପ୍ରଥମେ ବାରିପଦା ସ୍ଥିତ କ୍ଷୁଦ୍ର ଜଳସେଚନ(MI) ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ପରେ ଯାଇ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଉଦ୍ୟେଶରେ ନିମ୍ନଲିଖିତ ଦାବୀ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅକ୍ଷୟ ସୁନୀଲ କୁମାର ଅଗ୍ରୱାଲା, ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |
ଦାବୀ ଗୁଡିକ ହେଲା…….
(1) ଯୁଧ୍ୟକାଳୀନ ଭିତ୍ତିରେ ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳ ଗୁଡ଼ିକରୁ ପଙ୍କ ଉଦ୍ଧାର ସହିତ ଦଳ ସଫେଇ କାର୍ଯ୍ୟ କରାଯାଉ |
(2)ନଦୀ ନାଳ ଗୁଡିକର ଉଭୟ ପାର୍ଶ୍ୱରେ ଠିକାଦାରଙ୍କୁ ସୁହାଇଲା ଭଳିଆ କଂକ୍ରିଟ ୱାଲ ବଦଳରେ ପଥର ପ୍ୟାଙ୍କି କରାଯାଉ |

(3) ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ ଓ ଖୁଣ୍ଟା ବ୍ଲକ ରେ ହୋଇଥିବା ନିମ୍ନମାନର କାର୍ଯ୍ୟ, କାର୍ଯ୍ୟ ନହୋଇ ଉଠିଥିବା ବିଲ ଏବଂ ଅନ୍ୟାନ୍ୟ ଅସାଧୁ କାର୍ଯ୍ୟ ଏବଂ ଏହିଭଳି ବେନିୟମ କାର୍ଯ୍ୟକୁ ସମର୍ଥନ ଦେଇଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଧାରା ଓ ଆର୍ଥିକ ବ୍ୟବସ୍ତା ଉପରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ପ୍ରମୁଖ ।

ଆଜିକାର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ସହିତ ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା,ଉପସଭାପତି ରାକେଶ ମହାନ୍ତି, ଯୁବ ସଭାପତି ସମ୍ୟରଞ୍ଜନ ମିଶ୍ର, ଯୁବ ଛାତ୍ର ସଂଯୋଜକ ଶେଖ ରାଜା ଖାନ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତି ରଂଜନ ପୃଷ୍ଟି, ସଂଗଠନ ସମ୍ପାଦକ ଗଣେଶ, ମହାନ୍ତି, ସୌମ୍ୟାରଞ୍ଜନ ସାହୁ, ସଞ୍ଜୟ ମହାନା,ସୌଭାଗ୍ୟ ଦେଓବାବୁ,ରୁଦ୍ର ପଟ୍ଟନାୟକ, ମୁକ୍ତିଦତ୍ତ ପରିଡା, ଆଦିତ୍ୟ ଦାଶ, ସୁକୁଦେବ ସିଂ, ଦେବାଶିଷ ନୟାକ, ସତ୍ୟବ୍ରତ ଦାସ ପ୍ରମୁଖ ଙ୍କ ସହିତ ଶତାଧିକ ସଂଗଠନ ର ଯୁବଛାତ୍ର ସାମିଲ ହୋଇଥିଲେ |ଯଦି ଆଗାମୀ ୭ଦିନ ମଧ୍ୟରେ ଉପରୋକ୍ତ ଦାବି ଗୁଡିକୁ ପୂରଣ କରିବା ପାଇଁ ସରକାରୀ ସ୍ତରରେ ଘୋଷଣା ନ କରାଯାଏ ତେବେ ଆଗାମୀ ଦିନରେ ପୁନର୍ବାର ଉକ୍ତ କ୍ଷୁଦ୍ର ଜଳସେଚନ ବିଭାଗ ଅଫିସ କୁ ସଂମ୍ପୂର୍ଣ୍ଣ ଭାବେ ଅଚଳ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |