Onn 3

ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ଡିଜିଟାଲ୍ ଆଟେଣ୍ଡାନ୍ସ ବ୍ୟବସ୍ଥା

State

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ ଉଭୟ ସ୍କୁଲ ଏବଂ କଲେଜରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଭାଗ ଅଣ୍ଟା ଭିଡ଼ିଛି । ତେବେ ୨୦୧୯ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡିକରେ ଡିଜିଟାଲ -ଆଟେଣ୍ଡାନ୍ସ ଆରମ୍ଭ ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଏହା ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଲାଗି ଲାଗୁ କରାଯିବ । ଫଳରେ ଏଣିକି ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ ଉପସ୍ଥାନ ରହୁଛନ୍ତି ତା’ର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ । ଏହାବ୍ୟତୀତ ପିଲାମାନେ ସ୍କୁଲରେ ଦୈନିକ କେତୋଟି କ୍ଲାସ୍‌ରେ ଉପସ୍ଥିତ ରହିଛନ୍ତି ତା’ର ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ଜଣାଇ ଦିଆଯିବ । ପୂର୍ବରୁ ରାଜ୍ୟର ସବୁ ଜୁନିୟର କଲେଜଗୁଡିକରେ ପ୍ରତ୍ୟେକ କ୍ଲାସ୍‌ରେ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନିଆଯାଉଥିବା ବେଳେ ଏଣିକି ଉଭୟ ଆଟେଣ୍ଡାନ୍ସ ସିଟ୍ ବ୍ୟତୀତ ମୋବାଇଲରେ ମଧ୍ୟ ପିଲାଙ୍କ ଉପସ୍ଥାନ ଦିଆଯିବ ।

କ୍ଲାସ୍ ଆରମ୍ଭରୁ ଆଟେଣ୍ଡାନ୍ସ ସିଟ୍‌ରେ ପିଲାଙ୍କ ଉପସ୍ଥାନ ନେବା ପରେ ସମ୍ପୃକ୍ତ କ୍ଲାସ ଶେଷ ହେବା ପରେ ତୁରନ୍ତ ମୋବାଇଲ ଆଟେଣ୍ଡାନ୍ସରେ କେଉଁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ତାହା ଅପ୍‌ଲୋଡ କରାଯିବ । ଯାହାର ରିପୋର୍ଟ ବିଭାଗର ପୋର୍ଟାଲ ଏବଂ ଅଭିଭାବକଙ୍କ ମୋବାଇଲକୁ ପଠାଯିବ । ପୂର୍ବରୁ ବର୍ଷ ଶେଷକୁ ଉପସ୍ଥାନ ଯାଞ୍ଚ ହେଉଥିବା ବେଳେ ଏଣିକି ମାସିକିଆ ଉପସ୍ଥାନ ଅନୁଧ୍ୟାନ କରାଯିବ । ଯେଉଁ ଛାତ୍ରଛାତ୍ରୀ ଶ୍ରେଣୀରେ ୫୦ପ୍ରତିଶତରୁ କମ୍ ଉପସ୍ଥିତ ରହିଥିବେ ସେହି ପିଲାଙ୍କୁ କୈଫତ ତଲବ କରାଯିବ । ଜୁନିୟର କଲେଜଗୁଡିକରେ ଏଭଳି ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ବର୍ଷ ହେବ ରାଜ୍ୟରେ ଯୁକ୍ତଦୁଇ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଶାନୁରୂପ ହେଉନାହିଁ । ବିଶେଷକରି ଅନେକ ଛାତ୍ରଛାତ୍ରୀ ଶ୍ରେଣୀ ପଢ଼ାକୁ ଗୁରୁତ୍ୱ ନଦେଇ ଘରୋଇ ଟ୍ୟୁସନ ଉପରେ ନିର୍ଭର କରୁଛନ୍ତି । ଆଉକିଛି ପିଲା ପ୍ରଥମ ବର୍ଷ ପରେ ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଉଛନ୍ତି । ଫଳରେ ଶ୍ରେଣୀ ପଢ଼ାରେ ବ୍ୟାଘାତ ସୃଷ୍ଟିହେଉଛି । ଏହାବ୍ୟତୀତ ରାଜ୍ୟରେ ପ୍ରାୟ ୫୩ ପ୍ରତିଶତ ଛାତ୍ରଛାତ୍ରୀ କଲେଜ ଆସିବା ପରେ ବାହାରେ ବୁଲୁଛନ୍ତି । ଏମାନଙ୍କ ମଧ୍ୟରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ପ୍ରାୟ ୩୫% ପିଲା କ୍ଲାସ୍ କରିନଥାନ୍ତି । ତେବେ ପିଲାମାନେ କ୍ଲାସ କରୁନଥିବା ବେଳେ କଲେଜରେ ପାଠପଢ଼ା ହେଉନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ତେବେ ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍‌-ଆଟେଣ୍ଡାନ୍ସ ପ୍ରଚଳନ ହେବାକୁ ଯାଉଛି । ଯାହାକୁ ସବୁ ସ୍ତରରେ ମଧ୍ୟ ସ୍ୱାଗତ କରାଯାଇଛି ।