Onn 3

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

National & International

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନିବାର ଏବଂ ରବିବାର ଦିନ ପ୍ରବଳ ବର୍ଷା ହୋଇଥିବାର ଦେଖାଯାଇଛି। ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ୧୯୮୨ ପରଠାରୁ ଜୁଲାଇ ମାସରେ ଦିଲ୍ଲୀରେ ଏତେ ପରିମାଣରେ ବର୍ଷା ହୋଇନଥିଲା।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପାଇଁ ଅତି କମରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ୫ଜଣକ ମଧ୍ୟରେ ଶିମଲାରୁ ତିନି ଜଣ, ଚମ୍ବାରୁ ଜଣେ ଏବଂ କୁଲୁରେ ଜଣେ ରହିଛନ୍ତି। ତେବେ ବର୍ଷାର ପରିମାଣ ଅଧିକ ହେବାରୁ ହିମାଚଳ ପ୍ରଦେଶର କୁଲୁରେ ଥିବା ବିସ୍ ନଦୀର ଜଳସ୍ତର ବଢ଼ିଛି।
ଏହି କାରଣରୁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ୩ର ଏକ ଅଂଶ ଧୋଇ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ନେଇ ଖବର ମିଳିଛି।