Onn 3

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ୫ ମୃତ

National & International

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ପଶ୍ଚିମବଙ୍ଗରେ ହିଂସା ଲଗାତାର ଜାରି ରହିଛି । ଶନିବାର ସକାଳ ୭ଟାରୁ ରାଜ୍ୟର ୭୪ ହଜାର ସିଟ୍‌ ପାଇଁ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପଥରବାଜି, ଲୁଟପାଟ ଏବଂ ହିଂସାକାଣ୍ଡ ହୋଇ ୫ ଜଣଙ୍କର ଜୀବନ ଚାଲିଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ଘଟୁଛି।

ମୁର୍ଶିଦାବାଦର ବେଲଡାଙ୍ଗାରେ କଂଗ୍ରେସ ଏବଂ ତୃଣମୂଳ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ହିଂସା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଗୁଳି ବାଜିବା ଯୋଗୁଁ ୨ ଜଣ କଂଗ୍ରେସ କର୍ମୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କୁଚିବିହାରରେ ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହେବା ସହିତ ନିଆଁ ଲଗାଇ ଦିଆଯାଇଛି । ହୁଗୁଳିରେ ଜଣେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ଭୀଷଣ ମାଡ଼ ମରାଯାଇ ବୁଥ୍ ଭିତରକୁ ଛଡ଼ାଯାଇ ନ ଥିବା ଅଭିଯୋଗ ହୋଇଛି। ସେହିପରି, ନୁରପୁର ପଞ୍ଚାୟତର ଖୋଲାଖଲି ଅନ୍ତର୍ଗତ ୪୪ ଓ ୪୫ ନମ୍ବର ବୁଥ୍ରେ ଦୁର୍ବୃତ୍ତମାନେ ବାଲଟ୍ ଚୋରାଇ ନେଇଥିବା ଜଣାପଡିଛି ।

ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସର ୪ଜଣ କର୍ମୀଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ମିଳିଛି। ଗତରାତିରେ ରେଜିନଗରରେ ଦେଶୀ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖାରଗ୍ରାମରେ ଜଣକୁ ଛୁରି ଭୁସି ହତ୍ୟା କରାଯାଇଛି। ପୁଣି ଆଜି ସକାଳେ ବେଲଦାଙ୍ଗାରେ ଜଣକୁ ଗୁଳି ମାରି ହତ୍ୟା କରାଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନରେ ଏଥର ୫.୬୭ କୋଟି ମତଦାତା ମତଦାନ କରିବେ ।