Onn 3

କୃଷି ଉପକରଣ ସବସିଡି ଦୁର୍ନୀତି, ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

Crime State

ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି।

ବିଦ୍ୟାଧର ବେହେରା ଭଦ୍ରକ ଚରମ୍ପା ସ୍ଥିତ କଳ୍ପନା ମୋଟର୍ସର ମାଲିକ। ମୁଖ୍ୟ ଅଭିଯୁକ୍ତ ଶ୍ରୀନାଥ ରଣାଙ୍କ ସହ ମିଶି ଜାଲ ଇଞ୍ଜିନ ଓ ଚେସିସ ନମ୍ବର ଦେଇ ୫୫୬ରୁ ଅଧିକ ଧାନ ଚାଷୀଙ୍କ ତଥ୍ୟକୁ ଜାଲିଆତି କରି ଅପ୍ଲୋଡ୍ କରିଥିବା ଅଭିଯୋଗ ହୋଇଛି। ସେମାନେ ଓଡ଼ିଶାର ୧୮ଟି ଜିଲ୍ଲାର ସମାନ ସଂଖ୍ୟକ ଚାଷୀ ବା ହିତାଧିକାରୀଙ୍କ ନାମ ଓ ଫଟୋକୁ ବ୍ୟବହାର କରି ସବସିଡି ରାଶି ଦାବି କରିଥିଲେ।

ପ୍ରତି ଧାନ ଚାଷୀଙ୍କ ପାଇଁ ସବସିଡି ରାଶି ୯୩ ହଜାର ୩୨୦ ଟଙ୍କାରୁ ଦେଢ ଲକ୍ଷ ଟଙ୍କା ଯାଏ ରହିଛି। ଜାଲ୍ କାଗଜପତ୍ର ଦେଇ ମୋଟ୍ ୭ କୋଟି ୧୬ ଲକ୍ଷ ଟଙ୍କାର ସବସିଡି ରାଶି ନେବାରେ ସଫଳ ହୋଇଛନ୍ତି ଅଭିଯୁକ୍ତ।

ବାଙ୍ଗାଲୋରର ଭରୁଶାପ୍ରିୟା ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ କେ. ଜି. ଶ୍ରୀ ଚରଣଙ୍କ ଅଭିଯୋଗ ପରେ ଏହି ଘୋଟାଲା ସାମ୍ନାକୁ ଆସିଥିଲା। ଶ୍ରୀନାଥ ରଣା ପୂର୍ବରୁ ଉକ୍ତ କମ୍ପାନୀରେ ଆଞ୍ଚଳିକ ପରିଚାଳକ ଭାବେ କାମ କରୁଥିଲେ ଏବଂ କମ୍ପାନୀର ଲଗଇନ ଆଇଡିକୁ ଜାଲିଆତି କରି ସରକାରଙ୍କ ଦ୍ୱାରା ବର୍ଦ୍ଧିତ ୫ କୋଟି ଟଙ୍କାର ସବସିଡି ରାଶିକୁ ଆତ୍ମସାତ କରିଥିଲେ।

ମୁଖ୍ୟ ଅଭିଯୁକ୍ତ ରଣାଙ୍କୁ ରାଜ୍ୟରେ ଯନ୍ତ୍ରାଂଶ ବିକ୍ରୟ ପଞ୍ଜିକରଣ କରିବା ପାଇଁ ଏବଂ ଓଡ଼ିଶା ସରକାରଙ୍କ (କୃଷି ବିଭାଗ) ଓ୍ବେବସାଇଟରେ ପ୍ରବେଶ କରି ହିତାଧିକାରୀ ବା ଚାଷୀଙ୍କୁ ସବସିଡି ସୁବିଧା ପ୍ରଦାନ କରିବା ପାଇଁ ଅଧିକୃତ କରାଯାଇଥିଲା। ଏଥିପାଇଁ ସେ କେବଳ ଭାରୁସପ୍ରିୟା ଏଗ୍ରୋଟେକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ପାଇଁ ଉଦ୍ଦିଷ୍ଟ ଲଗ୍ ଇନ୍ ଆଇଡି ଏବଂ ପାସ୍ଓ୍ୱାର୍ଡ ବ୍ୟବହାର କରିଥିଲେ।

ଇଓଡବ୍ଲ୍ୟୁ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଆଉ କେତେଜଣ ଗିରଫ ହେବାର ସମ୍ଭାବନା ରହିଛି। ଚାଷୀଙ୍କୁ ସବସିଡି ଦେବାକୁ ସରକାର ଉଦ୍ୟମ କରି ଚାଷ ଓ ଚାଷୀଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି। କିନ୍ତୁ ଏହାରି ଭିତରେ ଏଭଳି ଏକ ଘୋଟାଲା ଆସିଛି ଯାହା ସରକାରଙ୍କ ସବସିଡି ଯୋଜନା ସଠିକ ଭାବରେ ହିତାଧିକାରୀଙ୍କ ନିକଟରେ ପହଁଚି ପାରୁଛି କି ନାହିଁ ତାହେ ଏବେ ବଡ଼ ପ୍ରଶ୍ନ। ଇଓଡବ୍ଲ୍ୟୁ ଏହି ଠକେଇ ସମ୍ପର୍କରେ ସୂଚନା ରଖିଥିବା ଯେକୌଣସି ବ୍ୟକ୍ତି ଆଗକୁ ଆସି ତଦନ୍ତରେ ସହାୟତା କରିବାକୁ ନିବେଦନ କରିଛି।