Onn 3

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ପୁଣି ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

State

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ପୁଣି ରୁଜ୍ଜୁ ହୋଇଛି ଏକ ଜନସ୍ୱାର୍ଥ ମାମଲା। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ ପ୍ରାର୍ଥନା କରାଯାଇଛି।

ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ପିଟିସନରେ ପ୍ରାର୍ଥନା ହୋଇଛି। ରତ୍ନଭଣ୍ଡାରର ଚାବି ହଜାଇଥିବା ଦାୟୀ ପୁରୀ ଜିଲ୍ଲାପାଳ କିମ୍ବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରି ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ ମଧ୍ୟ ଆବେଦନ କରାଯାଇଛି।

ହାଇକୋର୍ଟର ବୈଷୟିକ କମିଟି ଏବଂ ଏଏସଆଇ ଚିଠି ସତ୍ତ୍ଵେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦ ସଙ୍କୁଳ ଅବସ୍ଥାରେ ରଖିବା ହେତୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ଏଏସଆଇ, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ମାମଲା ଏହି ମାମଲା ରୁଜ୍ଜୁ କରିଛନ୍ତି।