Onn 3

ଇସ୍ତଫା ଦେଲେ ବିଜେଡି ରାଜ୍ୟ ସମ୍ପାଦକ

Politics State

ଭୁବେନଶ୍ୱର: ୫ଟି ସଚିବ କାର୍ଯ୍ୟକୁ ନେଇ ଖାଲି ବିରୋଧୀ ତାତି ନାହାନ୍ତି । ଦଳ ଭିତରେ ବି କୁହୁଳୁଛି ଅସନ୍ତୋଷର ନିଆଁ ।  ଏହି ନିଆଁ ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ୟାମ ପ୍ରସାଦ ବେହେରା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଖାଲି ଇସ୍ତଫା ଦେଇ ନାହାନ୍ତି, ୫ଟି ସଚିବ ପାଣ୍ଡିଆନଙ୍କ ପାଇଁ ସେ ଦଳ ଛାଡୁଥିବା ଖୋଲାଖୋଲି କହିଛନ୍ତି ।

ଶ୍ୟାମ ପ୍ରସାଦ ବେହେରା ଏକ ପ୍ରେସ ରିଲିଜରେ କହିଛନ୍ତି, ଗତ ୨୦୧୯ ମସିହାଠାରୁ ସେ ବିଜେଡିରେ ଯୋଗ ଦେଇ ସାଧାରଣ ସମ୍ପାଦକ ଭାବେ କାମ କରି ଆସୁଛନ୍ତି । କିନ୍ତୁ କିଛି ଦିନ ହେଲା ଦଳଟିକୁ ଯେଭଳି ସରକାରୀ କର୍ମା  ୫ଟି ସଚିବ ଶ୍ରୀ ପାଣ୍ଡିଆନ  କରାୟତ୍ତ କରି ନେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ କିଭଳି ୪ କୋଟି ଓଡ଼ିଆଙ୍କ ଭାଗ୍ୟ ନିୟନ୍ତା ଭାବେ ଆମ ଉପରେ ଲଦି ଦେଇଛନ୍ତି ?

ସେ କହିଛନ୍ତି, ଜନ ପ୍ରତିନିଧିମାନଙ୍କ ପରାମର୍ଶରେ ସରକାରୀ କଳ ଚାଲିବା କଥା । କିନ୍ତୁ ଜଣେ ସଚିବଙ୍କ ଆଗରେ ମନ୍ତ୍ରୀ ଓ ବିଧାୟକମାନେ ହାତ ଯୋଡି ଠିଆ ହେଉଛନ୍ତି ତଥା ତାଙ୍କ ପାଇଁ ଚେୟାର ପକାଉଛନ୍ତି, ଦରି ପକାଉଛନ୍ତି । ଏପରି ଅପମାନଙ୍କୁ ଜଣେ ଗଣତନ୍ତ୍ରପ୍ରେମୀ ଓଡ଼ିଆ ଭାବେ ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି କହିଛନ୍ତି ।

ଏଥିସହିତ ବସ୍ତା ଅଞ୍ଚଳର ଉନ୍ନତି ପ୍ରତି ଏ ସରକାର ଦୃଷ୍ଟି ଦେଉ ନ ଥିବା ମଧ୍ୟ ସେ ପ୍ରେସ ରିଲିଜରେ ଅଭିଯୋଗ କରିଛନ୍ତି । ବିଜେଡିରେ ଯୋଗଦାନ ସମୟରେ ସେ ନିଜ ଅଞ୍ଚଳର ବିକାଶକୁ ଏଜେଣ୍ଡା କରିଥିଲେ । ହେଲେ ଏ ଯାଏ ବସ୍ତାରେ କଲେଜଟିଏ ହୋଇ ପାରିଲା ନାହିଁ । କୋଣାର୍କ ପେପର ମିଲ ଓ ବାଲିଆପାଳ ସୂତାକଳ ବନ୍ଦ ଯୋଗୁ ହଜାର ହଜାର ଶ୍ରମିକ ଆଜି ବେକାର । ବାଲିଆପାଳରେ ଶୀତଳ ଭଣ୍ଡାରଟିଏ ନ ଥିବାରୁ ଝୋଟ ଚାଷୀ ସରକାରୀ ଦରରେ ଉତ୍ପାଦନ ବିକ୍ରି କରିପାରୁ ନାହିଁ ।

ତେଣୁ ସବୁ ରାଜନୈତିକ ପ୍ରସଙ୍ଗକୁ କେନ୍ଦ୍ର କରି ସେ ବିଜେଡିରେ ରହିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ଶ୍ୟାମସୁନ୍ଦର ବେହେରା  । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି ।

ଏଠି କହିରଖିବୁ, ୫ଟି ସଚିବଙ୍କୁ ନେଇ ବିଜେପି ସାଂସଦ ମୁହଁ ଖୋଲିବା ପରେ ତେଜିଛି ରାଜନୀତି । ବିରୋଧୀ କଂଗ୍ରେସ ବି ଏ ନେଇ ଘେରିଛି ବିଜେଡି ସରକାରକୁ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ କେନ୍ଦ୍ରରେ ଅଭିଯୋଗ କରିବା ପରେ ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ।