Onn 3

ଲେପ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ ସେନା

National & International

ରାଓ୍ବଲପିଣ୍ଡି : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଗତ ମେ ୯ରେ ସାରା ପାକିସ୍ତାନରେ ହିଂସାକାଣ୍ଡ ହୋଇଥିଲା । ପାକିସ୍ତାନର କେତେକ ସେନା କାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଏବେ ପାକିସ୍ତାନ ସେନା ଏ ନେଇ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । ଏହି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ପାକିସ୍ତାନ ସେନା ଏବେ ନିଜର ବରିଷ୍ଠ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପାକିସ୍ତାନ ସେନା ପକ୍ଷରୁ ସୋମବାର କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ ମୋଟ ୧୫ ସେନା ଅଧକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଲେଫ୍ଟନାଣ୍ଟ ଜେନେରାଲ, ୩ ଜଣ ମେଜର ଜେନେରାଲ ଓ ୭ ଜଣ ବ୍ରିଗେଡିୟର ।
ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣରୁ ବଞ୍ଚାଇବାରେ ସକ୍ଷମ ହୋଇନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସେନା ମୁଖପାତ୍ର (ଡିଜିଆଇଏସପିଆର) ମେଜର ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ ସୂଚନା ଦେଇଛନ୍ତି । କେବଳ ଚାକିରିରୁ ବହିଷ୍କାର ନୁହେଁ, କେତେକ ସେନା ଅଧିକାରୀଙ୍କ ସଂପର୍କୀୟଙ୍କୁ ମଧ୍ୟ ଗିରଫ କରାଯାଇଛି ।
ପାକ୍ ସେନା ପକ୍ଷରୁ କୁହାଯାଇଛି ଯାହା ପାକିସ୍ତାନର ଶତ୍ରୁମାନ କରିପାରିନଥିଲେ ଏହି ଆନ୍ଦୋଳନକାରୀମାନେ ତାହା କରିଦେଲେ । ଏହା ପାକିସ୍ତାନ ଇତିହାସର ଏକ କଳା ଅଧ୍ୟାୟ ବୋଲି ଚୌଧୁରୀ କହିଛନ୍ତି ।