Onn 3

ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍‌

National & International

ଇସ୍‌ଲାମାବାଦ: ଚୀନ୍‌ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍‌ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍‌ ଏହି ୧୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପରମାଣୁ ଶକ୍ତି କେନ୍ଦ୍ର (ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟ) ସ୍ଥାପନ ପାଇଁ ପାକିସ୍ତାନ ସହ ୪.୮ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି।
ପାକିସ୍ତାନ ସହ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଅଧୀନରେ ବେଜିଂ ପଞ୍ଜାବର ମିଆଁୱାଲି ଜିଲ୍ଲାର ଚସ୍‌ମାଠାରେ ୧,୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଚସ୍ମା-ଭି ପରମାଣୁ କାରଖାନା ନିର୍ମାଣ କରିବ। ଏସଂପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ଵାଜ୍‌ ସରିଫ୍‌ କହିଛନ୍ତି ଯେ ଆଣବିକ ଶକ୍ତି କେନ୍ଦ୍ର ଚୁକ୍ତି ସ୍ୱାକ୍ଷରକୁ ପାକିସ୍ତାନ ଏବଂ ଚୀନ୍‌ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧିର ଏକ ପ୍ରତୀକ। ଏବଂ ବିଳମ୍ବ ନକରି ଏହି ପ୍ରକଳ୍ପ ଖୁବଶୀଘ୍ର ଶେଷ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱାଧୀନ ପୂର୍ବ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବିଳମ୍ବ କରିଥିବାରୁ ସେ ସମାଲୋଚନା କରି କହିଛନ୍ତି, ଆମେ ଆଉ କୌଣସି ପ୍ରକାରର ବିଳମ୍ବ ନକରି ଏହାକୁ ଯଥାଶୀଘ୍ର ଆରମ୍ଭ କରିବୁ। ଏକ କଠିନ ଅର୍ଥନୈତିକ ପରିସ୍ଥିତିରେ ପାକିସ୍ତାନ ଏହି ପ୍ରକଳ୍ପ ମାଧ୍ୟମରେ ଚୀନଠାରୁ ୪.୮ ବିଲିୟନ ଡଲାର ନିବେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ ଶେହଓ୍ଵାଜ୍‌ ସରିଫ୍‌ କହିଛନ୍ତି।
ଶସ୍ତା ଆଣବିକ ଶକ୍ତି ଉତ୍ପାଦନରେ ପାକିସ୍ତାନର ଚସ୍‌ମା ପାୱାର ପ୍ଲାଣ୍ଟକୁ ଚାବିକାଠି ଭାବେ ବିବେଚନା କରାଯାଏ। ପାକିସ୍ତାନ ଆଣବିକ ଶକ୍ତି ଆୟୋଗ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନର ୪ଟି ପାୱାର ପ୍ଲାଣ୍ଟର କ୍ଷମତା ୧,୩୩୦ ମେଗାୱାଟ। ପାକିସ୍ତାନରେ ଆଉ ଅନ୍ୟ ଦୁଇଟି ଆଣବିକ ଶକ୍ତି କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ଅଛି। କରାଚି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ (କାନୁପ୍‌ ୨ ଓ ୩)ର କ୍ଷମତା ୨,୨୯୦ ମେଗାୱାଟ୍‌। ସଂପ୍ରତି ବିପୁଳ ଆର୍ଥିକ ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ଆଇଏମଏଫର ସହାୟତା ବିନା ବହୁପକ୍ଷୀୟ ଋଣ କିମ୍ବା ଦ୍ୱିପାକ୍ଷିକ ସହାୟତା ମଧ୍ୟ ପାଉନାହିଁ। କେବଳ ଚୀନ୍‌ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ଠିଆ ହୋଇଥିବା ବେଳେ ସାଉଦି ଆରବ ଏବଂ ୟୁଏଇ ମଧ୍ୟ ପାକିସ୍ତାନକୁ ଚୟନମୂଳକ ସମର୍ଥନ କରୁଛନ୍ତି।