Onn 3

ଜୟରାମ ରମେଶଙ୍କ ଗୀତାପ୍ରେସ ବୟାନକୁ ନାପସନ୍ଦ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା

National & International

ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍‌’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‌ଔପଚାରିକ ଭାବେ ଘୋଷଣା କରାଯାଇଥିଲା। ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର | ତାଙ୍କ ଆଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଅବସରରେ ୧୯୯୫ ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି ।
କିନ୍ତୁ ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ନିଷ୍ପତ୍ତିକୁ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଥିଲେ। ଟୁଇଟ୍‌ କରି ସେ ଲେଖିଥିଲେ, ଚଳିତ ବର୍ଷ ଶତବାର୍ଷିକୀ ପାଳନ କରୁଥିବା ଗୀତା ପ୍ରେସ୍‌କୁ ଏହି ପୁରସ୍କାର ପ୍ରଦାନ ସାବର୍‌କର ଓ ଗଡ୍‌ସେଙ୍କୁ ପୁରସ୍କୃତ କରିବା ପରି କଥା ହେବ। ୨୦୧୫ରେ ପ୍ରକାଶିତ ସାମ୍ବାଦିକ ଅକ୍ଷୟ ମୁକୁଳଙ୍କଦ୍ବାରା ଲିଖିତ ଏହି ପ୍ରତିଷ୍ଠାନ ସଂକ୍ରାନ୍ତ ପୁସ୍ତକ ‘ଗୀତା ପ୍ରେସ୍‌ ଓ ହିନ୍ଦୁ ଭାରତ ନିର୍ମାଣ’ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଥିଲେ, ଏହି ପୁସ୍ତକରେ ମହାତ୍ମାଙ୍କ ସହିତ ଗୀତା ପ୍ରେସ୍‌ର ସୁସମ୍ପର୍କ ନ ଥିବା କଥା କୁହାଯାଇଛି।
ରାଜନୈତିକ, ଧାର୍ମିକ ଓ ସାମାଜିକ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ମତଭେଦ ଥିଲା। ତେବେ ସୂତ୍ରରୁ ସୂଚନା ମିଳିଛି ଯେ ଜୟରାମ ରମେଶଙ୍କ ଏହି ଟ୍ୱିଟକୁ ନେଇ କଂଗ୍ରେସ ଦଳ ସହମତ ନାହିଁ। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ଗୀତା ପ୍ରେସ ସଂପର୍କରେ ଜୟରାମ ରମେଶଙ୍କ ବିବୃତି ଅନାବଶ୍ୟକ। ହିନ୍ଦୁ ଧର୍ମର ପ୍ରଚାରରେ ଗୀତା ପ୍ରେସ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି | ଏପରି ବିବୃତି ଦେବା ପୂର୍ବରୁ ଜୟରାମ ରମେଶ ଏକ ଆଭ୍ୟନ୍ତରୀଣ ଆଲୋଚନା କରିବାର ଥିଲା |
ଉଲ୍ଲେଖ ଥାଉ କି ଯେ ୧୯୨୩ ମସିହାରେ ଗୋରଖପୁରରେ ଗୀତା ପ୍ରେସ ପ୍ରତିଷ୍ଠା କରାଯାଇଥିଲା | ଗୀତା ପ୍ରେସ୍ ଦୁନିଆର ସବୁଠାରୁ ବଡ ପ୍ରକାଶକମାନଙ୍କ ମଧ୍ୟରୁ ଅନ୍ୟତମ | ଏହା ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି, ଯେଉଁଥିରେ ୧୬.୨୧ କୋଟି ଶ୍ରୀମଦ୍ ଭଗବଦ୍ ଗୀତା ପୁସ୍ତକ ଅଛି। ବିଶେଷ କଥା ହେଉଛି ଏହି ସଂସ୍ଥା ପ୍ରକାଶନ ପାଇଁ କେବେ ବି ବିଜ୍ଞାପନ ନେଇନାହିଁ |