Onn 3

ସାଧାରଣ ସମ୍ମତି ପ୍ରତ୍ୟାହାର ହୋଇଥିଲେ ବି ଏହି ଦୁଇଟି ରାଜ୍ୟରେ ତଦନ୍ତ ଜାରି ରଖିଛି ସିବିଆଇ

National & International

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କଂଗ୍ରେସ, ଆପ ସମେତ ଅନେକ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ର ଅପବ୍ୟବହାର କରୁଛି | ଆଉ ଏହି ଅଭିଯୋଗ ଆଣି କିଛିଦିନ ତଳେ ତାମିଲନାଡୁର ଷ୍ଟାଲିନ ସରକାର ନିଜ ରାଜ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ସାଧାରଣ ସମ୍ମତି ପ୍ରତ୍ୟାହାର କରି ନେଇଥିଲେ । ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି ମୁତାବକ ତାମିଲନାଡୁରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ତାମିଲନାଡୁ ବ୍ୟତୀତ ଆଉ କେଉଁ ସବୁ ରାଜ୍ୟ ସିବିଆଇର ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଇଛନ୍ତି | ତାମିଲନାଡୁ ପୂର୍ବରୁ ଝାଡଖଣ୍ଡ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ମେଘାଳୟ, ଛତିଶଗଡ, କେରଳ, ମିଜୋରାମ ଏବଂ ରାଜସ୍ଥାନର ସରକାର ସିବିଆଇର ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆଉ ଏଭଳି କରିବାରେ ତାମିଲନାଡୁ ୧୦ମ ରାଜ୍ୟ ହୋଇଛି ।
ମହାରାଷ୍ଟ୍ରରେ ମଧ୍ୟ ମହାବିକାଶ ଅଘାଡି ସରକାର କ୍ଷମତାରେ ଥିବାବେଳେ ସିବିଆଇର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଗତ ବର୍ଷ ସରକାର ବଦଳିବା ମାତ୍ରେ ରାଜ୍ୟ ସରକାର ପୁଣି ଥରେ ସିବିଆଇକୁ ‘ସାଧାରଣ ସମ୍ମତି’ ପ୍ରଦାନ କରିଥିଲେ। ତେବେ ସାଧାରଣ ସମ୍ମତି ପ୍ରତ୍ୟାହାର ହୋଇଥିଲେ ବି ବର୍ତ୍ତମାନ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ହେଉଛି ଦୁଇଟି ରାଜ୍ୟ ଯେଉଁଠାରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ବି ସିବିଆଇ ତଦନ୍ତ କରୁଛି। ଉଭୟ ସିବିଆଇ ଏବଂ ଇଡି ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଛନ୍ତି। ରାଜ୍ୟ ସରକାରଙ୍କ ଇଚ୍ଛା ବିରୁଦ୍ଧରେ ଏହି ତଦନ୍ତ ହେଉଛି ।

କାରଣ ଏହି ତଦନ୍ତ କରିବାକୁ କଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଥାଉ କି ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ, ୧୯୪୬ ଅନୁଯାୟୀ ସିବିଆଇ ଗଠନ କରାଯାଇଛି। ଏଭଳି ପରିସ୍ଥିତିରେ କୌଣସି ରାଜ୍ୟରେ ତଦନ୍ତ କରିବାକୁ ହେଲେ ସିବିଆଇକୁ ସଂପୃକ୍ତ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିଥାଏ | ସିବିଆଇ ଯେକୌଣସି ରାଜ୍ୟରେ ତଦନ୍ତ କରିପାରିବ ଯଦି ସେହି ରାଜ୍ୟ ସରକାର ତଦନ୍ତ ପାଇଁ ସୁପାରିଶ କରିଛନ୍ତି କିମ୍ବା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।