Onn 3

ଟ୍ରେନମ୍ୟାନ ଆପ ବିକ୍ରି ହେଲେ ବି ଆମ ବ୍ୟବସାୟକୁ କୌଣସି ଚ୍ୟାଲେଞ୍ଜ ସୃଷ୍ଟି କରିବ ନାହିଁ: ଆଇଆରସିଟିସି

National & International

ନୂଆଦିଲ୍ଲୀ: ନିକଟରେ, ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ର ଅଂଶ ଆଦାନି ଡିଜିଟାଲ୍ ଲ୍ୟାବ୍‌ସ ଟ୍ରେନ୍ ଟିକଟ ବୁକିଂ କରୁଥିବା ସଂସ୍ଥା ଟ୍ରେନମ୍ୟାନକୁ କିଣିବା ଲାଗି ସହମତ ହୋଇଛି। ତେବେ ଏନେଇ ଜଣାପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ‌ଯେ ଆଦାନି ପ୍ରଥମେ ଆଇଆର୍‌ସିଟିସି ସହ ପ୍ରତିଦ୍ବନ୍ଦ୍ବିତା କରିବ ଓ ପରେ ତାହାକୁ ଅଧିଗ୍ରହଣ କରିବ। ଆଇଆର୍‌ସିଟିସି ହେଉଛି ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ଟ୍ରେନ୍ ଟିକଟ ବୁକିଂ ଓ କ୍ୟାଟରିଂ ସଂସ୍ଥା। ତେବେ କଂଗ୍ରେସର ଏହି ଅଭିଯୋଗକୁ ଆଇଆରସିଟିସି ଖଣ୍ଡନ କରିଛି | ଆଇଆରସିଟିସି ବମ୍ବେ ଷ୍ଟକ ଏକ୍ସଚେଂଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜକୁ ଚିଠି ଲେଖି ଜଣାଇଦେଇଛି ଯେ ଟ୍ରେନମ୍ୟାନ ଅଧିଗ୍ରହଣ ଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ |
ଟ୍ରେନମ୍ୟାନକୁ କୌଣସି କମ୍ପାନୀ ଅଧିଗ୍ରହଣ କଲେ ବି ଏହା ଆଇଆରସିଟିସି ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବ ନାହିଁ | ତେବେ ବଜାର ବିଶେଷଜ୍ଞଙ୍କ କହିବା କଥା ଯେ ଭାରତୀୟ ରେଳବାଇରେ ପ୍ରତିଦିନ ୧୪ ଲକ୍ଷ ୫୦ ହଜାର ରିଜର୍ଭେସନ ଟିକେଟ୍ ବୁକ୍ କରାଯାଇଥାଏ, ସେଥିମଧ୍ୟରୁ ୮୧% ଅର୍ଥାତ୍ ପ୍ରାୟ ୧୧,୭୪,୫୦୦ ଟିକେଟ୍ ଆଇଆରସିଟିସି ମାଧ୍ୟମରେ ବୁକ୍ ହୋଇଥାଏ । କୌଣସି ବ୍ୟକ୍ତି ଯେକୌଣସି ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକ୍ କଲେ ବି ଶେଷରେ ଆଇଆରସିଟିସି ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରିବାକୁ ପଡିଥାଏ | ଅର୍ଥାତ ଏହି ଆପ୍ସ କିମ୍ବା ୱେବସାଇଟ୍ ଆଇଆରସିଟିସି ୟୁଜର ଆଇଡି ଏବଂ ପାସୱାର୍ଡ ବିନା ଟିକେଟ୍ ବୁକ୍ କରିପାରିବେ ନାହିଁ | ଟିକେଟ୍ ବୁକ୍ ହେବା ମାତ୍ରେ ଗ୍ରାହକଙ୍କ ବ୍ୟବହାର କରୁଥିବା ଆପ୍ କିମ୍ବା ୱେବସାଇଟରେ ସିଧାସଳଖ ଆଇଆରସିଟିସି ପେଜକୁ ଚାଲିଯାଇଥାନ୍ତି | ତେଣୁ, ଆଦାନୀ ଗ୍ରୁପ୍, ଆମାଜନ କିମ୍ବା ମେକ୍ ମାଇ ଟ୍ରିପ୍ ଭଳି ଯେକୌଣସି ପ୍ଲାଟଫର୍ମ ଆଇଆରସିଟିସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ |