Onn 3

ନନ୍ଦନକାନନରେ ପହିଲି ରଜରେ ବୁଲିଲେ ୧୨,୮୩୬ ପର୍ଯ୍ୟଟକ

State

ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ ପ୍ରାୟ ଅଧା କମ୍। ଗତ ବର୍ଷ ବିକ୍ରି ହୋଇଥିବା ୨୧୧୨୬ଖଣ୍ଡ ଟିକେଟରୁ ଜଣା ପଡିଛି। ଚଳିତ ବ‌ର୍ଷ ପହିଲି ରଜରେ ପର୍ଯଟକ ସଂଖ୍ୟା ହ୍ରାସ ଘଟିବା ପଛରେ ତିନିଟି କାରଣ ଥିବା ଜଣାପଡିଛି। ପ୍ରଥମଟି ପୁରୀରେ ତିନି ଠାକୁର ଅଣସରରେ ଥିବାରୁ ବାହାର ରାଜ୍ୟର ପର୍ଯଟକ ଆସୁ ନଥିବା। ଦ୍ବିତୀୟଟି ପ୍ରବଳ ଗ୍ରୀଷ୍ମ ପ୍ରକୋପର ଭୟ ଓ ତୃତୀୟଟି ନିକଟ କଲ୍ୟାଣପୁରର ରଜ ମହୋତ୍ସବ ହେତୁ ସ୍ଥାନୀ ପର୍ଯ୍ୟଟକ ଆସୁ ନଥିବା ନେଇ କର୍ତୁପକ୍ଷ ଅନୁମାନ କରିଛନ୍ତି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନର ମାତ୍ର ୭୬୨ ଖଣ୍ଡ ଟିକେଟ ବିକ୍ରି ହୋଇଛି।
ପହିଲ ରଜରୁ ଜମିଲା କଲ୍ୟାଣପୁର ଗ୍ରାମର ସ୍ବସ୍ତି ବନରେ ଆୟୋଜିତ ଭୁବନେଶ୍ବର ରଜ ମହୋତ୍ସବ। ମହେତ୍ସବ କମିଟର ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ବିଧାୟକ ଦୋଳିରେ ବସି ଝୁଲିବା ପରେ ମହୋତ୍ସବ ଅରମ୍ଭ ହୋଇଥିଲା। ଏହି ଅବସରରେ ମହୋତ୍ସବ କମିଟର ସଭାପତି ତଥା ଓଡ଼ିଶା ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ଯୋଗ ଦେଇ ବିଧାୟକ କହିଥିଲେ ରାଜଧାନୀର ମା’ ଓ ଭଉଣୀମାନେ ଆନନ୍ଦ ଉଲ୍ଲାସର ଗଣପର୍ବକୁ ଉପଭୋଗ କରିବା ସହିତ କିଭଳି ଆମ ପ୍ରାଚୀନ ସଂସ୍କୃତି ଓ ଲୋକ କଳାକୁ ବଞ୍ଚାଇ ରଖାଯାଇ ପାରି ସେଥିଲାଗି ଏହା ଏକ ପ୍ରୟାସର ମାଧ୍ୟମ। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ,କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ,ସମିତି ସଭ୍ୟ ଭୁବନାନନ୍ଦ ଦାସ,ଭୁବନେଶ୍ବର ଜିଲ୍ଲା ବିଜେଡି ସମ୍ପାଦକ ନିର୍ମଳ ରାଉତ,ଅନୁପ ଖୁଣ୍ଟିଆ, ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ନାଥ,ଅନ୍ତଯ୍ୟାମୀ କୁଅଁର,ସନତ ସ୍ବାଇଁଙ୍କ ସମେତ ମହୋତ୍ସବ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ ଦନ୍ୟବାଦ ଦେଇଥିଲେ ଭୁବନେଶ୍ବର ଜିଲ୍ଲା ବିଜେଡି ସମ୍ପାଦକ ଅନୁପ ଖୁଣ୍ଟିଆ।