Onn 3

ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାବଦରେ ୫୦୦ଟଙ୍କା ଭତ୍ତା ଦେଇଥିବା ରାଜ୍ୟର ବିଜେଡି ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ପ୍ରତ୍ୟେକଙ୍କୁ ୨୫୦ଟଙ୍କାର ଶାଢ଼ୀ ଭତ୍ତା ଦେଇଥିଲେ ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ପାଚିକା ଓ ସହାୟିକାମାନଙ୍କ ପାଇଁ ୧୧୭.୭୩କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ଏହାସହିତ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ପାଇଁ ୫୦୦ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରାଯାଇଛି । ଆଜି ରାଜ୍ୟର ୧.୦୯ଲକ୍ଷ ପାଚିକା ଓ ସହାୟିକାଙ୍କ ଆକାଉଣ୍ଟକୁ ୫.୪୫କୋଟି ଟଙ୍କାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ରାନ୍ସଫର କରିଛନ୍ତି । ପ୍ରାୟ ୫୦ହଜାରରୁ ଅଧିକ ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନେ ଏହାଦ୍ୱାରା ଉପକୃତ ହେବେ । ଏହି ସ୍କୁଲଗୁଡ଼ିକରେ ୪୫ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ୫୦ହଜାର ସ୍କୁଲରେ ପଢ଼ୁଥିବା ୪୫ଲକ୍ଷରୁ ଅଧିକ ପିଲାଙ୍କର ମା’ ପରି ସେମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି । ୪୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି । ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ତଥା ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଏସ୍ ଅଶ୍ୱଥି ଉପସ୍ଥିତ ଥିଲେ ।