ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଳକ ନତକାଇ ଗ୍ରାମପଂଚାୟତ ଦୁଇ ନମ୍ବର ୱାର୍ଡରେ ଥିବା ବିଶ୍ୱାଳ ସାହିର ଦିବ୍ୟାଙ୍ଗ ସୁକାନ୍ତ ବିଶ୍ୱାଳ ଓ ସ୍ୱର୍ଣ୍ଣଲତା ବିଶ୍ୱାଳଙ୍କର ଉଚ୍ଚ ଶିକ୍ଷିତା କନ୍ୟା ଇତିଶ୍ରୀ ବିଶ୍ୱାଳ(୨୪) ଙ୍କର ଦୁଇଟି କିଡନୀ ଅଚଳ ହୋଇ ପଡିଛି । ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ତାଙ୍କର ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି । ନତକାଇ ଗ୍ରାମର ସୁକାନ୍ତ ବିଶ୍ୱାଳ ଜଣେ ଦିବ୍ୟାଙ୍ଗ ଓ ବେକାର ବ୍ୟକ୍ତି ଅଟନ୍ତି । ତାଙ୍କର କନିଷ୍ଠା କନ୍ୟା ଇତିଶ୍ରୀ ଜଣେ ଉଚ୍ଚ ଶିକ୍ଷିତା ଓ ଅବିବାହିତା ଅଟନ୍ତି । ଇତିଶ୍ରୀଙ୍କର ଦେହ ଆକସ୍ମିକ ଭାବେ ଖରାପ ହୋଇପଡିବା କାରଣରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାରେ ଭର୍ତି କରିଥିଲେ ।
ପରୀକ୍ଷା ନିରୀକ୍ଷା ପରେ ତାଙ୍କର କିଡନୀ ଦୁଇଟି ଅଚଳ ହୋଇପଡିଥିବାର ଡାକ୍ତର ପ୍ରକାଶ କରିଥିଲେ । ତେବେ ତାଙ୍କର ଚିକିତ୍ସା ନିମନ୍ତେ ପରିବାର ବର୍ଗ ଘରେ ଥିବା ଧାନ ଚାଉଳ,ଆସବାପତ୍ର ବିକ୍ରୟ କରିବା ସହ ବିଭିନ୍ନ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ଠାରୁ ଲକ୍ଷାଧିକ ଟଙ୍କା କରଜ ସୂତ୍ରରେ ଆଣି ତାଙ୍କର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି । ଏପରିକି ତାଙ୍କର ପିତା ଜଣେ ଦିବ୍ୟାଙ୍ଗ ଓ ବେକାର ହୋଇଥିବାରୁ ଝିଅର ଚିକିତ୍ସା ନିମନ୍ତେ ସେ ଚିନ୍ତାରେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି । ଅପରପକ୍ଷରେ ତାଙ୍କର କିଡନୀ ପ୍ରତିରୋପଣ ନିମନ୍ତେ ପ୍ରାୟ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାର ଡାକ୍ତର ପ୍ରକାଶ କରିଛନ୍ତି ।
ତେବେ ଏତେ ପରିମାଣର ଟଙ୍କା କେଉଁଠୁ ସଂଗ୍ରହ କରିବେ ଓ ଝିଅକୁ କିପରି ଭଲ କରିବେ ସେଥିନେଇ ପରିବାର ଲୋକେ ନା ନା ଚିନ୍ତାରେ ପଡିଛନ୍ତି । ଅପରପକ୍ଷରେ ଇତିଶ୍ରୀର ଚିକିତ୍ସା ନିମନ୍ତେ କୌଣସି ସରକାରୀ ସହାୟତା ପ୍ରଦାନ କରାଯାଇନଥିବାର ଜଣାଯାଇଛି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଙ୍ଗଠନ ଇତିଶ୍ରୀଙ୍କ ଚିକିତ୍ସା ନିମନ୍ତେ ଆର୍ଥୀକ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ ତାଙ୍କର ମୋବାଇଲି ନଂ ୭୦୬୪୮୮୫୩୩୭ରେ ଯୋଗାଯୋଗ କରିବାକୁ ତାଙ୍କ ପରିବାର ତରଫରୁ ÷ଅନୁରୋଧ କରାଯାଇଛି । ଅପରପକ୍ଷରେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ପୂର୍ବତନ ସରପଂଚ ଷ୍ଟାଲିନ ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ,ସାମାଜିକ କର୍ମୀ ଅମୀୟ କୁମାର ବିଶ୍ୱାଳ , ସଞ୍ଜୟ କୁମାର ବେହେରା ପ୍ରମୁଖ ଦୃଢ ଦାବି କରିଛନ୍ତି ।