Onn 3

ଯାଜପୁରରୋଡରେ ମାଲବାହୀ ଟ୍ରେନ୍‌ ମାଡ଼ିଯିବାରୁ ୬ ଶ୍ରମିକ ମୃତ

State

ଯାଜପୁର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ବୁଧବାର ଅପରାହ୍‌ଣରେ ରାଜ୍ୟରେ ପୁଣି ଏକ ଅଘଟଣ ଘଟିଛି। ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡ଼ିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍‌ର ଚକା ତଳେ ରହି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ତେଣେ ପୂର୍ବତଟ ରେଳ ପକ୍ଷରୁ କହାଯାଇଛି କି,  ରେଳ କାର୍ଯ୍ୟ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିୟୋଜିତ କେତେକ ଚୁକ୍ତିଭିତ୍ତିକ ଶ୍ରମିକ ଯାଜପୁର-କେନ୍ଦୁଝରରୋଡ ନିକଟରେ ପବନ ଏବଂ ବର୍ଷା ଠାରୁ ରକ୍ଷା ପାଇବା ପାଇଁ ରଖାଯାଇଥିବା ଏକ ମାଲଗାଡ଼ି ରେକ୍ ତଳେ ଆଶ୍ରୟ ନେଇଥିଲେ | ଆଜି ପ୍ରବଳ ବଜ୍ରପାତ ହେତୁ  ଇଞ୍ଜିନ ଲାଗି ନଥିଲେ ବି ରେକ୍ ଗଡ଼ିଯାଇଥିଲା। ଏହି ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ପରେ ରେଳବାଇ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା ଡିଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯାଜପୁରରୋଡ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳରୁ କାମ କରିବା ପାଇଁ ଶ୍ରମିକମାନେ ଆସିଥାନ୍ତି। ଯେଉଁ ଶ୍ରମିକମାନେ ମାଲବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇ ଦୁର୍ଘଟଣାର ଶିକାର ହୋଇଛନ୍ତି, ସେମାନେ ମଧ୍ୟ କାମ କରିବାକୁ ଆସିଥାଇ ପାରନ୍ତି। ସେମାନେ କାମ ସାରି ଟ୍ରେନ୍‌କୁ ଅପେକ୍ଷା କରିଥିବା ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।