Onn 3

ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା

National & International

ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା ।
ତେବେ ଏହି ଟ୍ରେନରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଅନ୍ୟଦିନ ଭଳି ସ୍ବାଭାବିକ ଯାତ୍ରା କରି ପାରୁ ନାହାନ୍ତି। ମନରେ ରହିଛି ଅନେକ ଭୟ। ପ୍ରତିଟି ମୁହୂର୍ତ୍ତରେ ସେମାନଙ୍କର ସେହି ଲୋମଟାଙ୍କୁରା ଘଟଣା ଆଖି ଆଗରେ ନାଚି ଯାଉଛି। ଛାତିକୁ ଦମ୍ଭ କରି ଯାତ୍ରୀମାନେ ସେମାନଙ୍କ ଜରୁରୀ ଯାତ୍ରାରେ ଆଗେଇ ଚାଲିଛନ୍ତି।
କିଛି ଯାତ୍ରୀ ରେଳ ଉପରେ ଭରସା ଥିବା କଥା କହିଥିବା ବେଳେ ଆଉ କିଛି ଯାତ୍ରୀ ମନରେ ଭୟ ଥିବା କହିଥିଲେ। ଏଥିପାଇଁ ‌ସେମାନେ ଯାତ୍ରା ସମୟରେ ଭଗବାନଙ୍କ ମୂର୍ତ୍ତିକୁ ହାତରେ ଧରି ଯାତ୍ରା କରୁଛନ୍ତି। ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ସ୍ମରଣ କରି ଚାଲିଛନ୍ତି। ଆଜି ଯେତେବେଳେ କରମଣ୍ଡଳ ବାହାନଗା ବଜାର ଷ୍ଟେସନ୍ ଅତିକ୍ରମ କରିଥିଲା ଯାତ୍ରୀମାନେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌କୁ ଦେଖି ଭାବପ୍ରବଣ ହୋଇ ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା’ ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା।
ସେପଟେ ଡାଉନ୍‌ ଲାଇନ୍‌ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଆଜି ଏହି ଟ୍ରେନ୍ ଚେନ୍ନାଇରୁ କୋଲାକାତାକୁ ଯାଇଛି।