ଭୁବନେଶ୍ୱର: ମାଆଟି ଆଖିରେ ଆଖିଏ ଲୁହ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ ଚାପି ବସି କଣ ସବୁ ଭାବୁଛି ମା’ଟି। ଏତିକି ବେଳେ ଜଣେ ଝିଅ ହାତରେ ବିସ୍କୁଟ ଆଉ ଗୋଟିଏ ପାଣି ବୋଟଲ ଆଣି ସେହି ବୁଢୀ ମାଆ ଟି ହାତରେ ଧରାଇ ଖାଇବାପାଇଁ କହିଲେ । ମାଆଟି ପାଣି ବାତଲ ଆଉ ବିସ୍କୁଟିକୁ ଧରି ନେଲା ସତ ହେଲେ ଖାଇବା ପାଇଁ ତାର ହାତ ପାଟିକୁ ଯାଉନଥାଏ । କେମିତି ଅବା ଇଛା ହେବ ଏତେ ବଡ ଭେଣ୍ଡିଆ ପୁଅଟା ତାର ଚାଲିଯାଇଛି । କାହାର ବା ଧୌର୍ଯ ରହିବ । ଖାଲି ବଲ ବଲ କରି ୟାକୁ ତାକୁ ଏଣେତେଣେ ଗୋଟିଏ ଲୟରେ ଚାହିଁ ରହିଥାଏ ମା’ଟି।
ଏଣେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ବ୍ୟସ୍ତ । ନିଜ ଲୋକଙ୍କ ଶବ ସେହି ଫଟୋ ଭିତରୁ ଖୋଜିବାରେ ଲାଗି ପଡିଛନ୍ତି। ଦିନେ ଏ ଲୌହ ଦାନବ ଏଭଳିଆ କାଳରାତି ନେଇ ଆସିବ ଏକଥା କିଏ ଅବା କାହିଁକି ଭାବିଥିବ। ତେବେ ବେଳ ଯାଇ ସନ୍ଧ୍ୟା ହେଲା ମାଆଟି ପୁଣି ପାଦ ବାହାର କରି ସେପାଖ ଏପାଖ ହେଲା । ପୁଣି ବସି ଯାଇ ଚାହା ଟିକେ ପିଉ ଥାଏ । ମାଆଟି କାହିଁକି ବସିଛି ସେ କଥା ଜାଣିବାରେ ଅସୁବିଧା ନଥିଲା । ହେଲେ କାହାକୁ ହରାଇଛି ତାକୁ ଜାଣିବା ଆବଶ୍ୟକ ଥିଲା। ବେଶଭୂଷାରୁ ଲାଗୁଥିଲେ ଅଣଓଡ଼ିଆ ଭଳି।
ତେଣୁ ଟିକେ ନିକଟତର ହୋଇ ପଚାରିଲୁ ମାଆ ଜି କ୍ୱିଉଁ ଇହାଁ ଆୟେହୋ । ଏମିତି ଉତ୍ତର ଥିଲା ହିନ୍ଦୀରେ..ବେଟା ବାବୁ ବଡକା ବେଟା ଚଲା ଗୈୟା। ମାଆଟି ଘର ବିହାର ରାଜ୍ୟରେ। ବଡ ପୁଅ ଘରୁ ଯାଉଥିଲା ବାଙ୍ଗାଲୋର ମଜୁରୀ ଖଟିବାକୁ। ହେଲେ ଲୋୖହ ଦାନବ ନେଇଗଲା ଜୀବନ। ଆଉ ଘର ଲୋକ ଙ୍କୁ ଜଣା ନଥିଲା ସବୁଆଡେ ତ ହାଲ୍ଲା ପଡିଛି ବାହାନଗାର ଇତିହାସ ରଚିଥିବା ଟ୍ରେନ ଦୁର୍ଘଟଣା। ସେଥିରୁ ମାଆଟି ନିଜ ଆଉ ଗୋଟିଏ ପୁଅକୁ ଧରି ସୁଦୂର ବିହାରର ରୁ ଭୁବନେଶ୍ୱର ଏମ୍ସ କୁ ଦୌଡ଼ି ଆସିଛି।
ବୁଢୀ ମାଆଟା ଥାଉ ଥାଉ ପୁଅ ଚାଲିଗଲା। ଏକଥା ମାଆଟି ସହଜରେ ଗ୍ରହଣ କରିପାରୁନି। ମୃତ ପୁଅର ସାତ ପୁଅ ଝିଅ। ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲା। ପରିବାର ସାରା ତାରି ଉପରେ ନିର୍ଭର କରୁଥିଲେ। ଆଉ ନାହିଁ ସେ ପୁଅ ପରିବାର ବୋଝ ମୁଣ୍ଡେଇବା ପାଇଁ । ଚାଲି ଯାଇଛି ସବୁଦିନ ଦିନ । ଆଉ ଦେଇ ଯାଇଛି ସମସ୍ତଙ୍କ ଆଖିରେ ଲୁହ ।