Onn 3

୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ସ୍ନାନଯାତ୍ରା

Religion and Cult State

ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୂ
ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

ବାରିପଦା: ଆଜି ମହାପ୍ରଭୁ ଙ୍କର ସ୍ନାନ ଯାତ୍ରା । ମହାପ୍ରଭୂ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଠାରେ ଆଜି ଭକ୍ତିପୂନ୍ନ ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଆଜି ସକାଳୁ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ତ୍ୟାଗକରି ସୁନ୍ଦର ଟାହିଆରେ ସୁସଜ୍ଜିତ ହୋଇ ଧୀରେ ଧୀରେ ଅପୂର୍ବ ଛନ୍ଦରେ ଗୋଟି ପହଣ୍ଡିରେ ପାହୁଣ୍ଡ ପକାଇ ଖୋଳ, କରତାଳ, ଘଣ୍ଟ, ଘଣ୍ଟା ଧ୍ୱନୀ ଓ ହୁଳହୁଳି, କାହାଳୀ ବଜାଇ ଢ଼ଳି ଢ଼ଳି ସ୍ନାନ ମଣ୍ଡପକୁ ବିଜେ ହୋଇଥିଲେ । ଏହାପରେ ୧୦୮ ଗରା ଚନ୍ଦନ, କର୍ପୁର, ତୁଳସୀ ବଓ କସ୍ତୁରୀ ଆଦି ସୁବାସୀତ ପାଣିରେ ଐଶ୍ୱର୍ଯ୍ୟମୟ ବେଶରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ କରିଥିଲେ ଭବ୍ୟସ୍ନାନ । ଭକ୍ତମାନେ ପୂଣ୍ୟମୟ ଆବେଗରେ ଦର୍ଶନ କରିଥିଲେ ମହାପ୍ରଭୂଙ୍କ ଦେବସ୍ନାନକୁ । ଦର୍ଶନ ମାତ୍ରକେ ସହସ୍ର ଜନ୍ମର ପାପ ଧୋଇ ଯିବା ସହ ଶହଶହ ପୁର୍ନଜନ୍ମ ଟଳିଯିବା ଓ ମୋକ୍ଷର ଅକ୍ଷୟମାଳ ସରାଗରେ ଆତ୍ମା ପିନ୍ଧି ନେଉଥିବାର ବିଶ୍ୱାସ ରଖି ଭକ୍ତମାନେ ହୋଇ ଉଠିଥିଲେ ଆତ୍ମ ବିଭୋର । ଏହି ପବିତ୍ର ଦେବସ୍ନାନ ଦର୍ଶନ କରିବା ନିମନ୍ତେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ଆଜି ପ୍ରାତଃରୁ ଭକ୍ତମାନଙ୍କ ଭିଡ଼ ଜମି ଉଠିଥିବାର ପରିଲକ୍ଷିତ ହୋଇଥିଲା ।

ଭକ୍ତ ଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ କରିବା ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ଭିତରେ ଏବଂ ବାହାରେ ଆବଶ୍ୟକୀୟ ସଂଖ୍ୟକ ପୋଲିସ ମୃତୟନ କରାଯାଇଥିଲା । ଆଜି ସକାଳୁ ପାଖରୁ ଅପରାହ୍ନ ପାର୍ଯ୍ୟନ୍ତ ପାଗଥିଲା ସଂପୂନ୍ନ ଶୁଖିଲା । ପ୍ରବଳ ଗୁଳୁଗୁଳି ସେତ୍ତ୍ୱ ବି ଭକ୍ତମାନଙ୍କର ଲାଗିଥିଲା ଭିଡ । ଉତ୍କଣ୍ଠାର ସହିତ ଚାହିଁ ବସିଥିବା ଭକ୍ତବୃନ୍ଦ ଆଜି ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ବି ଖାତିର ନକରି ବହୁତ ସଂଖ୍ୟାରେ ଭକ୍ତମାନେ ଲମ୍ବା ଧାଡ଼ିରେ ମହାପ୍ରଭୂଙ୍କୁ ଦର୍ଶନ କରିବା ନିମନ୍ତେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସକାଳ ଅପେକ୍ଷା ଅପରାହ୍ନରେ ଭକ୍ତଙ୍କର ଭିଡ ଅଧିକ ଦେଖିବାକୁ ମିଳିଥିଲା । ସେହିପରି ସ୍ନାନ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତିର ଆଦି ଦେବତା ମହାପ୍ରଭୂ ଶ୍ରୀଜଗନ୍ନାଥ ମହାଗଣପତି, ମହାପ୍ରଭୂ ବଳଭଦ୍ର ଗଣପତି ଓ ଦେବୀ ସୁଭଦ୍ରା ମାତଙ୍ଗୀ ବେଶ ଧାରଣ କରୁଥିବାରୁ ଏହି ବେଶ ଦର୍ଶନ ନିମନ୍ତେ ଭକ୍ତମାନେ ଚାତକ ପରି ଅପେକ୍ଷାରେ ରହିଥିଲେ କେତେବେଳେ ଆସିବ ଏହି ଶୁଭମୂହୁର୍ତ୍ତ । ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ଆଜି ଭୋର ରେ ମହାପଭୂଙ୍କ ନିକଟରେ ମଙ୍ଗଳ ଆଳତୀ ଲାଗି ହେବା ପରେ ସ୍ନାନ ବେଦୀକୁ ଗୋଟି ପହଣ୍ଡିରେ ବିଜେ, ସ୍ନାନ ପରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା ।

ଏହି ସମୟରେ ମହାପ୍ରଭୂଙ୍କୁ ସୋଲ ଜରି ଜମ୍ବୁରା କଦଳୀ ପଟୁଆରେ ତରାସ ଚୂଳ ସାଙ୍ଗକୁ ଫୁଲମାଳ ଆଦିରେ ବେଶକୁ ସୁସଜ୍ଜିତ କରାଯାଇଥିଲା । ଏହା ପରେ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା । ସେହିପରି ରାତ୍ରୀରେ ମହାପ୍ରଭୂ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାପରେ ଅଣସର ଗୃହକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ରାତିରେ ମହାପ୍ରଭୂଙ୍କ ବେଶ ଦର୍ଶନ ନିମନ୍ତେ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଯାନବାହାନ ଚଳାଚଳ ଉପରେ କଟକଣା ମଧ୍ୟ ଲଗାଇଛନ୍ତି । ସେହିପରି ଆଜି ଏହି ଦ୍ୱିତୀୟ ଶ୍ରୀକ୍ଷେତ୍ର ର ବାଣ୍ଟିଆ ଜଗନ୍ନାଥ ମନ୍ଦିର ଠାରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଦେବସ୍ନାନ ପୂନ୍ନିମା ସମ୍ପନ୍ନ ହୋଇଅଛି ।