Onn 3

ବାହାନଗା ଟ୍ରେନ୍‌ ଟ୍ରାଜେଡି; ଉଚ୍ଚସ୍ତରୀୟ ତଦନ୍ତ କରାଯିବ : ଅଶ୍ୱିନୀ ବୈଷ୍ଣବ

State

ଟ୍ରେନ ଦୁର୍ଘଟଣା ସ୍ଥଳ ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ ପରେ ଏପରି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଏହି ଦୁର୍ଘଟଣାରୁ ବର୍ତ୍ତି ଗୁରୁତର ହୋଇଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ଉପଯୁକ୍ତ ଚିକିତ୍ସା ଯୋଗାଇବା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି।

ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହା ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଏହା ବିଷୟରେ ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। କାହାର ତ୍ରୁଟି ରହିଛି, କ’ଣ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ସେପଟେ ପ୍ରାୟ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାର ହେଉଛି ମୃତଦେହ । ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଉଛି ଆମ୍ବୁଲାନ୍ସ । ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ। ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି।