Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ଆଡ୍‌ଭାନ୍ସେସ୍‌ ଇନ୍ ମେସିନ୍‌ ଲର୍ଣ୍ଣି ଫର ଡାଟା ଆନାଲିଟିକ୍‌ସ’ ଶୀର୍ଷକ ଆଲୋଚନାଚକ୍ର

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଶିକ୍ଷକ ଗୁଣାତ୍ମକ ବିକାଶ କାର୍ଯ୍ୟକ୍ରମ ନେଇ ବୁଧବାର ଦିନ ଅନୁଷ୍ଠିତ ‘ଆଡ୍‌ଭାନ୍ସେସ୍‌ ଇନ୍ ମେସିନ୍‌ ଲର୍ଣ୍ଣି ଫର ଡାଟା ଆନାଲିଟିକ୍‌ସ’ ଶୀର୍ଷକ ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶ ଓ ରାଜ୍ୟର କୋଣ ଅନୁକୋଣରୁ ଯୋଗ ଦେଇଥିବା ଶିକ୍ଷକମାନଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଏହି ଆଲୋଚନାଚକ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରହିତ୍ୟ କରିବା ସହ ଶିକ୍ଷକମାନଙ୍କର ଗୁଣାତ୍ମକ ବିକାଶ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ରଛାତ୍ରୀଙ୍ଗୁ ଉଚ୍ଚତମ ଗବେଷଣାରେ ଏହି କାର୍ଯକ୍ରମ ସହାୟକ ହେବ ବୋଲି ଆଶାପୋଷଣ କରିଥିଲେ ।

 

ଏହି କାର୍ଯକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଏସ୍‌. ଏନ୍‌. ଦେହୁରୀ ମୁଖ୍ୟ ବକ୍ତା ଭାବେ ମେସିନ୍‌ ଲର୍ଣ୍ଣି ଉପରେ ବକ୍ତବ୍ୟ ରଖିବା ସହ ଡାଟା ଆନାଲିଟିକ୍‌ସର ଉପାଦେୟତା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଆନୁଷ୍ଠାନିକ ବିକାଶ କାର୍ଯକ୍ରମର ସଂଯୋଜକ ପ୍ରଫେସର ହୃଦୟନାଥ ଥାଟୋଇ କାର୍ଯ୍ୟକ୍ରମର ଉପକାରୀତା ତଥା ଏହାଦ୍ୱାରା ଶିକ୍ଷକମାନଙ୍କର ବୌଦ୍ଧିକ ବିକାଶରେ ଦକ୍ଷ ହୋଇପାରିବେ ବୋଲି ଆଶାପୋଷଣ କରିଥିଲେ । ବିଶେଷ ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ. ହିମବିନ୍ଦୁ ମେସିନ୍‌ ଲର୍ଣ୍ଣିର ଗୁଣାତ୍ମକ ଓ ଉପଯୋଗୀ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । କାର୍ଯକ୍ରମର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସହ-ସଂଯୋଜିକା ବିଭାଗୀୟ ସହକାରୀ ପ୍ରଫେସର ଡ. ଶର୍ମିଳା ସୁବୁଦ୍ଧି ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସପ୍ତାହବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଛନ୍ତି । କାର୍ଯକ୍ରମ ପରିଚାଳନାରେ ଡ. ପାର୍ଥସାରଥୀ ମିଶ୍ର ଓ ଡ. ଶାନ୍ତିସ୍ୱରୁପ ବାସା ତଥା କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଆଗାମୀ ଦିନରେ ରାଜ୍ୟ ତଥା ରାଜ୍ୟବାହାରୁ ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଅଧ୍ୟାପକମାନେ ଯୋଗଦେଇ ସେମାନଙ୍କର ଗବେଷଣାକୁ ଉପସ୍ଥାନ କରିବାର କାର୍ଯକ୍ରମ ରହିଛି ।