ବାରିପଦା: କୋର୍ଟ ଆଦେଶ ପାଳନ ନକରିବା ଏବଂ ଅଦାଲତ ଅବମାନନା କରିବା ଅଭିଯୋଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାରିପଦା ପୌରପାଳିକାର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨୯ ତାରିଖରେ ତାଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆବେଦନକାରିଣୀ ଲୀଳାବତୀ ଦାସଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲା (ସିଓଏନଟିସି ନଂ ୩୦୩/୨୦୨୬)ର ଶୁଣାଣି କରି ମାନ୍ୟବର ବିଚାରପତି ଜଷ୍ଟିସ୍ ବି ପି ରାଉତରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଇକୋର୍ଟ ୧୪ ନଭେମ୍ବର ୨୦୨୪ ତାରିଖରେ ଆବେଦନକାରିଣୀଙ୍କ ଅଭିଯୋଗର ବିଚାର କରି ନିଷ୍ପତ୍ତି ନେବା ପାଇଁ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଦୀର୍ଘ ଦିନ ଧରି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିଲା।
ଏହି ମାମଲାରେ ବିପକ୍ଷ ପକ୍ଷରୁ ଦାଖଲ କରାଯାଇଥିବା କାରଣ ଦର୍ଶାଅ ଉତ୍ତରରେ ଦର୍ଶାଯାଇଥିଲା ଯେ, ଆବେଦନକାରୀଙ୍କୁ ନୋଟିସ୍ ପଠାଯାଇଥିଲେ ହେଁ ଠିକଣା ନ ମିଳିବାରୁ ତାହା ଫେରି ଆସିଥିଲା। କିନ୍ତୁ ଶୁଣାଣି ସମୟରେ ବିପକ୍ଷ ପକ୍ଷର ଓକିଲ ନୋଟିସ୍ ପ୍ରେରଣ ସମ୍ପର୍କିତ କୌଣସି ସନ୍ତୋଷଜନକ ପ୍ରମାଣ ଉପସ୍ଥାପନ କରିପାରି ନଥିଲେ। କୋର୍ଟଙ୍କ ଆଦେଶ ପାଳନ ନକରିବା ପାଇଁ ଦିଆଯାଇଥିବା ଏଭଳି ଯୁକ୍ତିକୁ ଅଦାଲତ ଗ୍ରହଣ କରିନଥିଲେ।
ଫଳସ୍ୱରୂପ, ଅଦାଲତ ଅବମାନନା ଆଇନ ଅନୁଯାୟୀ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ସମ୍ପର୍କରେ ନିଜର ପକ୍ଷ ରଖିବା ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ରାଉତଙ୍କୁ ଆସନ୍ତା ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପମ ଦାଶ ଏବଂ ବିପକ୍ଷ ତରଫରୁ ଆଇ ପାଣି ମାମଲା ପରିଚାଳନା କରୁଛନ୍ତି।
