- ରଜାବସା ପଞ୍ଚାୟତରେ ସଚେତନତା ପଦଯାତ୍ରା ଓ ସଂକଳ୍ପ ସଭା
ବାରିପଦା: ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଅଧିକାର ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଗାନ୍ଧୀ ଜୟନ୍ତୀ ଅବସରରେ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ଆରମ୍ଭ ହୋଇଛି । ଏହି ୪୪ ଦିନିଆ ଅଭିଯାନ ଆସନ୍ତା ୧୪ ନଭେମ୍ବର, ଶିଶୁ ଦିବସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିବ । ଏହି ଅଭିଯାନରେ ଜିଲ୍ଲାର ୪୦୪ଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇ ଶିଶୁ ଶ୍ରମ ନିରାକରଣ ନେଇ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରାଯି ବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ୨୦୨୯ ସୁଦ୍ଧା ନିଜ ଅଞ୍ଚଳକୁ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସଂକଳ୍ପ ଗ୍ରହଣ କରିବେ । ଏଥିସହ ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ଶ୍ରମ ବିଭାଗ ପକ୍ଷରୁ ବ୍ୟାପକ ପ୍ରବର୍ତ୍ତନ ଅଭିଯାନ ଆୟୋଜନ କରାଯିବ । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ପୁନର୍ବାସ ଓ ଶିକ୍ଷା ବ୍ୟବସ୍ଥା ସହିତ ଯୋଡ଼ିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଅଭିଯାନ ଅବଧିରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଚେତନତା ସଭା, ପଦଯାତ୍ରା, ସଂକଳ୍ପ ଗ୍ରହଣ ଓ ପ୍ରତିଜ୍ଞା ପାଠ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଶୁ ଶ୍ରମ ଭଳି ସାମାଜିକ କୁପ୍ରଥା ଓ ଶୋଷଣ ବିରୋଧରେ ଜନସଚେତନତା ବୃଦ୍ଧି ସହ ସାମୂହିକ ପ୍ରୟାସକୁ ସୁଦୃଢ଼ କରିବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ବ୍ଲକ ଅନ୍ତର୍ଗତ ରଜାବସା ଗ୍ରାମ ପଞ୍ଚାୟତରେ ଏକ ସଚେତନତା ପଦଯାତ୍ରା ଓ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରପଞ୍ଚ ରାମଜିତ ହେମ୍ରମ, ପିଇଓ ରମେଶ ଚନ୍ଦ୍ର ବେହେରା, ରାଜସ୍ୱ ନିରୀକ୍ଷକ ମନୋରଞ୍ଜନ ବାରିକ, ସହକାରୀ ଡାଟା ଏଣ୍ଟ୍ରି ଅପରେଟର ସରସ୍ୱତୀ ଟୁଡୁ ଏବଂ ସହକାରୀ ଶ୍ରମ ଅଧିକାରୀ, ବାରିପଦା ପାନମଣୀ ସୋରେନ ଯୋଗଦେଇ ଶିଶୁ ଶ୍ରମ ବିରୋଧରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।
ସଂକଳ୍ପ ସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ଶିଶୁ ଶ୍ରମ ପ୍ରଥାର ନିରାକରଣ ସହ ରଜାବସା ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ କରିବା ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରିଥିଲେ । ଏଥିସହ ଶିଶୁ ଶ୍ରମ ନିରାକରଣ ନେଇ ଏକ ସଚେତନତାମୂଳକ ପ୍ରତିଜ୍ଞା ପାଠ କରାଯାଇଥିଲା । ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ସ୍ଥାନୀୟ ଲୋକଙ୍କ ସହମତି ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା କରାଯାଇଥିଲା । ପରେ ଶିଶୁ ଶ୍ରମ ବିରୋଧରେ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଚାୟତ ପରିସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।
ଏହି ଅବସରରେ ସହକାରୀ ଶ୍ରମ ଅଧିକାରୀ, ବାରିପଦା ପାନମଣୀ ସୋରେନ କହିଛନ୍ତି ଯେ, ଏହି ୪୪ ଦିନିଆ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ଜନପ୍ରତିନିଧି, ବିଭିନ୍ନ ବିଭାଗ, ଶିକ୍ଷକ, ଅଭିଭାବକ, ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଅଭିଯାନ ଅବଧିରେ ସମଗ୍ର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏହିଭଳି ସଚେତନତାମୂଳକ ଓ ସଂକଳ୍ପଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
