- ଦୁର୍ଘଟଣାଗ୍ରସ୍ତଙ୍କୁ ପିଏମ୍-ରାହତ ଯୋଜନାରେ ପ୍ରଥମ ୭ ଦିନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା
ବାରିପଦା: ସେବା ସଂକଳ୍ପ ଅଭିଯାନ ଅବସରରେ ବାରିପଦାସ୍ଥିତ ଅନନ୍ତ ସାରଳା ନର୍ସିଂ ସ୍କୁଲଠାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କନିଷ୍ଠ ମୋଟର ଯାଞ୍ଚ ଅଧିକାରିଣୀ ସୁପ୍ରିୟା ପ୍ରିୟଦର୍ଶିନୀ ଏବଂ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପ୍ରଜ୍ଞା ରମିତା ବଳ ଯୋଗଦେଇ ପିଏମ୍-ରାହତ ଯୋଜନା ସହିତ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ପରବର୍ତ୍ତୀ ତ୍ୱରିତ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ପିଏମ୍-ରାହତ ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଦୁର୍ଘଟଣା ପରବର୍ତ୍ତୀ ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସହାୟତା ଉପଲବ୍ଧ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆୟୁଷ୍ମାନ ଭାରତ ଯୋଜନାରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ପିଏମ୍-ରାହତ ସେବା ଉପଲବ୍ଧ ଥିବା ନେଇ ଅବଗତ କରାଯାଇଥିଲା ।ସେହିପରି, ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ରାଜ୍ୟର ୭୮୯ଟି ଘରୋଇ ହସ୍ପିଟାଲ ପିଏମ୍-ରାହତ ଯୋଜନାରେ ପଞ୍ଜିକୃତ ହୋଇଥିବା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ସଡ଼କ ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ଏବଂ ଉପଲବ୍ଧ ଚିକିତ୍ସା ସହାୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଦିଗରେ ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା ।
ଏଥିରେ ନର୍ସିଂ ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ଥାନୀୟ ଅମ୍ବିକା ବିହାର କଲୋନୀ ସୋସାଇଟିର କର୍ମକର୍ତ୍ତାମାନେ ଯୋଗଦେଇ ଜନସଚେତନତା କାର୍ଯ୍ୟରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ଜିଲ୍ଲା ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ଏବଂ ଅନନ୍ତ ସାରଳା ନର୍ସିଂ ସ୍କୁଲର କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରି ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ ।
