IMG 20261002 WA0378

ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ରାଜ୍ୟ
  • ସତ୍ୟ ଓ ଅହିଂସାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁପାଳନ ପାଇଁ ଆହ୍ୱାନ
ବାରିପଦା: ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ନୀତି-ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଏବଂ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ‘ପ୍ରତିଶ୍ରୁତି’ ଅନୁଷ୍ଠାନର ସମ୍ପାଦକ ଡ. ଭାଗବତ ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନର ମୂଳ ଆଧାର ସତ୍ୟ ଓ ଅହିଂସା ଉପରେ ଆଲୋକପାତ କରିଥିଲେ । ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ଜୀବନଦର୍ଶନ ଆଜି ମଧ୍ୟ ସମାଜ ଓ ବ୍ୟକ୍ତିଜୀବନ ପାଇଁ ପ୍ରାସଙ୍ଗିକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଶ୍ରୀ ସେଠୀ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋଚନା କରିବା ସହ ସତ୍ୟର ପଥ ଅନୁସରଣ ମାଧ୍ୟମରେ ଜୀବନରେ ନୈତିକ ମୂଲ୍ୟବୋଧ ଓ ସଫଳତାର ଭିତ୍ତି ସୁଦୃଢ଼ ହୋଇଥାଏ ବୋଲି କହିଥିଲେ । ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରୁ ପ୍ରେରଣା ନେଇ ଦୈନନ୍ଦିନ ଜୀବନରେ ସତ୍ୟ, ଅହିଂସା ଓ ନୈତିକ ମୂଲ୍ୟବୋଧର ଅନୁପାଳନ ପାଇଁ ସେ ଆହ୍ୱାନ କରିଥିଲେ ।                ଆଲୋଚନା ଚକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନ, ନୀତି ଓ ଆଦର୍ଶ ସମ୍ପର୍କରେ ଆଲୋଚନା ଶୁଣିଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ଚିନ୍ତାଧାରା ଓ ମାନବିକ ମୂଲ୍ୟବୋଧ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସଚେତନତା ଓ ପ୍ରେରଣା ସୃଷ୍ଟି ହୋଇଥିଲା । ସଭା ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମୁନ୍ଦୁୟା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।