ବାରିପଦା: ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆସନ୍ତା ଅକଟୋବର ୧ ତାରିଖରେ ପାଳିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬ ଉପଲକ୍ଷେ ଆଜି ରାଇରଙ୍ଗପୁର ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର ନବମ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଇଂରାଜୀ ଓ ଓଡ଼ିଆ ଭାଷାରେ ପୃଥକ ପୃଥକ ଭାବେ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସର ମହତ୍ତ୍ୱ, ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସମ୍ମାନ, ସେମାନଙ୍କ ଅଧିକାର, ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଆଦି ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ବୟସ୍କ ବ୍ୟକ୍ତିମାନେ ପରିବାର ଓ ସମାଜର ଅମୂଲ୍ୟ ସମ୍ପଦ ହୋଇଥିବାରୁ ସେମାନଙ୍କ ପ୍ରତି ସମ୍ମାନ, ଯତ୍ନ ଓ ସହଯୋଗର ଭାବନା ଯୁବପିଢ଼ି ମଧ୍ୟରେ ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଆ ପ୍ରବନ୍ଧ ଲିଖନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆର୍ଯ୍ୟ ପ୍ରିୟା ମହାନ୍ତ, ସାନ ମୌଦା ଓଡିଶା ଆଦର୍ଶ ବିଦ୍ୟାଳୟର ବିଷ୍ଣୁ ପ୍ରିୟା ନନ୍ଦ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତନୀଷା ପ୍ରଜାପତି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥବା ବେଳେ ଇଂରାଜୀ ପ୍ରବନ୍ଧ ଲିଖନରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିନାୟକ ବସା, କେରଳା ପବ୍ଲିକ ସ୍କୁଲର ଆଦ୍ୟାଶା ହୋତା ଓ ତନଭି ଭରଦ୍ୱାଜ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଭବାନୀ ଶଙ୍କର ମହାନ୍ତ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଜ୍ୟୋତି ଦଳେଇ ଓ ପାୟେଲ ବେହେରା ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଂଶୁମାନ ଗିରି, କେରଳା ପବ୍ଲିକ ସ୍କୁଲର କନିଷ୍ଠା ଚାନ୍ଦଗୋଟିଆ, ଓଡିଶା ଆଦର୍ଶ ବିଦ୍ୟାଳୟର ବିନୋଦିନୀ ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିରେଖା ମହାନ୍ତି, ପ୍ରଧାନ ଶିକ୍ଷକ ଭକ୍ତ ବନ୍ଧୁ ବାରିକ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ଦୁଷ୍ମନ୍ତ କୁମାର ବସା, ସଦସ୍ୟ ସୁରଥ କୁମାର ପଟ୍ଟନାୟକ, ରସାନନ୍ଦ ଶେଜପଡା ଓ ହେମନ୍ତ କୁମାର ମହାନ୍ତ ପ୍ରମୁଖ ବିଚାରକ ମଣ୍ଡଳୀର ଦାୟିତ୍ୱ ସମ୍ପାଦନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଏବଂ ଏଵିଇଓ ହେମ ମାଝୀ ପରିଚାଳନା କରିଥିଲେ।
ଏବିଇଅ କାର୍ତ୍ତିକ ଚନ୍ଦ୍ର କାରୁଆ,ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି ଓ ବରିଷ୍ଠ ନାଗରିକ ପ୍ରଦୀପ କୁମାର କବି ସମେତ କର୍ମଚାରୀ ସଂଗ୍ରାମ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ଆଗାମୀ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ ପାଳନ ଅବସରରେ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ଓ ସମ୍ମାନିତ କରାଯିବ।
