IMG 20260831 WA0197

ସରଗଡାରେ ଗ୍ରାମ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନ ଶୁଣାଣି 

ରାଜ୍ୟ
ରାଇରଙ୍ଗପୁର : ଗ୍ରାମ ଅଭିମୁଖେ ପ୍ରଶାସନ. ଏହି ଉଦେଶ୍ୟକୁ ଫଳପ୍ରସୂ କରିବା ଲକ୍ଷ୍ୟନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବିଜାତଳା ବ୍ଲକ ଅଧିନସ୍ଥ ସରଗଡା ଗ୍ରାମ ପଞ୍ଚାୟତ ପରିସରରେ ଯୁଗ୍ମ ଜନ  ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର,ଉପଜିଲ୍ଲାପାଳ  ଉଗ୍ରେସନ ଓରାମ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଯୋଗରଞ୍ଜନ ନାୟକ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର ନାଥ ମାର୍ଣ୍ଡି, ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ।
ସରଗଡା ଗ୍ରାମ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ହୋଇ ନିଜ ନିଜର ଅଭିଯୋଗ ଓ ସମସ୍ୟା  ଉପସ୍ଥାପନ କରିଥିଲେ।
ଶିବିରରେ ୯୦ଗୋଟି ବ୍ୟକ୍ତିଗତ ଓ ୨୩ଗୋଟି ସାମୂହିକ ସମସ୍ୟା ସମ୍ପର୍କିତ ବିଭିନ୍ନ ଅଭିଯୋଗ ସହ ସମୁଦାୟ ୧୧୩ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଜମିଜମା, ଆବାସ, ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଯୋଜନା, ଭତ୍ତା ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ବିଷୟ ସମ୍ପର୍କିତ ଅଭିଯୋଗ ଲୋକମାନେ ଉପସ୍ଥାପନ କରିଥିଲେ।
ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥିତ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ଗୁରୁତ୍ୱ ଅନୁଯାୟୀ ତ୍ୱରିତ ଓ ନିୟମାନୁସାରେ ସମାଧାନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ସମ୍ପର୍କିତ ଅଭିଯୋଗ ଶୁଣି ସମାଧାନର ପଦକ୍ଷେପ ନେଇଥିଲେ। ଏକଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଉକ୍ତ ଶିବିରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଉପଖଣ୍ଡ ଅଧିନସ୍ଥ ତହସିଲଦାର, ବିଡିଓ  ଓ ବିଭିନ୍ନ ବିଭଗର ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀ, ଜନପ୍ରତିନିଧି ଏବଂ ସରଗଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଜାତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋଶଲାଙ୍କ ଦ୍ୱାରା ଶିବିର ପରିଚାଳନା କରାଯାଇଥିଲା।
ଜନସାଧାରଣଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା, ସେମାନଙ୍କ ଅଭିଯୋଗ ଶୁଣିବା ଏବଂ ସମସ୍ୟାର ତ୍ୱରିତ ସମାଧାନ କରିବା ଦିଗରେ ଏଭଳି ଜନ ଅଭିଯୋଗ ଶୁଣାଣି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।