ବାରିପଦା : ବାମନଘାଟୀ ଉପଖଣ୍ଡର ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଚଳିତ ମାର୍ଚ୍ଚ ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ନେବାକୁ ଥିବା ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଉଭୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏକ ବିଦlୟୀ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏହି ବିଦାୟକାଳୀନ ସଭାରେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ସ୍ୱାଗତ ଭାଷଣ ଦେବା ସହ ଉପଜିଲ୍ଲାପାଳଙ୍କୁ ଏକ ଦକ୍ଷ ପ୍ରଶାସକ ଭାବେ ଅଭିହିତ କରିବା ସହ ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ ଓ ଉତ୍ତମ ମଣିଷ ବୋଲି କହିଥିଲେ ଏବଂ ନୂତନ କାର୍ଯ୍ୟ ସ୍ଥଳୀରେ ତା’ଙ୍କ କାର୍ଯ୍ୟ ଦକ୍ଷତାର ଉପାଦେୟତା ବଜାୟ ରହୁ ବୋଲି ଆଶା ପୋଷଣ କରି ଶୁଭେଚ୍ଛା ଜଣାଇଥିଲେ। ସେହିପରି ଚଳିତ ମାସରେ ଅବସର ନେବାକୁ ଯାଉଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, କାର୍ଯ୍ୟ କ୍ଷେତ୍ରରେ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଠିକ ମାର୍ଗ ଦର୍ଶନ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହାପରେ ଅତିରିକ୍ତ ଜିଲ୍ଲାପାଳ ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ କାଳୀନ ଶୁଭେଚ୍ଛା ଜଣାଇ ଥିଲେ।
ପ୍ରକାଶ ଥାଉକି ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ପ୍ରଧାନ ବାମନଘାଟୀ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ତା. ୧୩-୦୯-୨୦୨୪ରିଖ ରେ ଯୋଗ ଦେଇଥିଲେ ଏବଂ ରାଇରଙ୍ଗପୁର ଠାରେ ତା’ଙ୍କ କାର୍ଯ୍ୟକାଳ ସମୟରେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି , ସରକାରଙ୍କ ନିର୍ଦେଶ କ୍ରମେ ଏଠାରୁ ବଦଳି ହୋଇ କଳାହାଣ୍ଡି ଜିଲ୍ଲା ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରିବେ।
ସେହିପରି ୬ ଅଗଷ୍ଟ ୨୦୨୫ରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିବା ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ସୁଚାରୁ କୁମାର ବଳଙ୍କୁ ପୁଷ୍ପଗୁଛ ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ତାଙ୍କର ଅବସର ପରବର୍ତ୍ତୀ ସମୟ ସୁସ୍ଥ, ନିରାମୟ ତଥା ଦୀର୍ଘ ଜୀବନ କାମନା କରାଯାଇଥିଲା ।
ସଭାରେ ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଉପରିସ୍ତ ଦୁଇ ପ୍ରଶାସନିକ ଅଧିକାରୀଙ୍କ ସହିତ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରିବା ସମୟର ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ।
ଉଭୟ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମଧ୍ୟ୍ୟ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସରକାରୀ କାର୍ଯ୍ୟରେ ନିଜର ଦାୟିତ୍ୱ ନିଷ୍ଠାର ସହିତ ସୁଚାରୁ ରୂପେ ସମ୍ପାଦନ ପାଇଁ ଶିକ୍ଷଣୀୟ ପରାମର୍ଶମାନ ଦେଇଥିଲେ।
ଭାବ ବିନିମୟ ଜରିଆରେ ବିଦାୟ କାଳୀନ ସଭାଟି କିଛି ମୁହୂର୍ତ୍ତ ପାଇଁ ଭାବାବେଗ ପୂର୍ଣ୍ଣ ହୋଇଉଠିଥିଲା
ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ବିଭାଗର ଉପଖଣ୍ଡ ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭଗୀୟ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଦ୍ୱୟଙ୍କୁ ସମ୍ମାନଭରା ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ.
