ହରଭଙ୍ଗା: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ରାସ୍ତାରୁ ୧୦ ଫୁଟ ତଳେ ଥିବା ଘାଇରେ ଖସିଲା କାର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ପ୍ରଥମେ ପୁରୁଣା କଟକ ଏବଂ ପରେ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ସହ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବଲାଙ୍ଗୀର ଫେରୁଥିବା ଏକ କାରକୁ ଧକ୍କା ହୋଇଥିଲା ।
ଦୁର୍ଘଟଣା ଏତେ ଜୋରରେ ଥିଲା ଯେ, କାରଟି ୧୦ ଫୁଟ ଘାଇ ତଳକୁ ଖସି ପଡିଥିଲା। ଖବର ପାଇ ଆଡନିଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।
