- ଆସନ୍ତା ୨0 ରୁ ତକତପୁର ଆରଏମସି ପଡିଆକୁ ହାଟ ସ୍ଥାନାନ୍ତରଣ ହେବ
ବାରିପଦା: ଦୋକାନୀ ମାନଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଆବେଦନ ପତ୍ରକୁ ଆଧାର କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାରିପଦା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ରାଉତଙ୍କ ସମେତ ଷ୍ଟେସନବଜାର ହାଟରେ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କ ଉପସ୍ଥିତିରେ ବାରିପଦା ପୌର କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହାଟ ସ୍ଥାନାନ୍ତର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ଷ୍ଟେସନବଜାର ସ୍ଥିତ ହାଟର ଉନ୍ନତିକରଣ ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନର ହାଟକୁ ତକତପୁର ସ୍ଥିତ ଆର ଏମ ସି ପଡିଆକୁ ସ୍ଥାନାନ୍ତରିତ କରାଯିବ ଏବଂ ଉକ୍ତ ହାଟ ଏହାପର ଠାରୁ ତକତପୁର ଆରଏମସି ପଡିଆ ଠାରେ ଚାଲିବ। ମାତ୍ର ଆଗକୁ ଜାନୁଆରୀ ୧୪ ତାରିଖରେ ମୟୂରଭଞ୍ଜର ପ୍ରସିଦ୍ଧ ମକର ପର୍ବ ଥିବାରୁ ହାଟ ବ୍ୟବସାୟୀ ମାନଙ୍କ ଅନୁରୋଧ କ୍ରମେ ଆସନ୍ତା ୨୦ ତାରିଖରୁ ନିରୂପିତ ହୋଇଥିବା ଏହି ନୂତନ ସ୍ଥାନରେ ହାଟ ବସିବ ଏବଂ ଷ୍ଟେସନବଜାର ଠାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ହାଟ ତକତପୁର ଆର ଏମ ସି ପଡିଆ ଠାରେ ବସିବ। ପ୍ରକାଶ ଥାଉକି, ଏହି ନୂତନ ସ୍ଥାନରେ ହାଟ ବସିବା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ବାରିପଦା ପୌରପାଳିକା ତରଫରୁ ଦୀର୍ଘ ଦିନରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ହାଟ ବସିବା ପାଇଁ ଉପଯୋଗୀ କରାଯାଇଛି। ଷ୍ଟେସନ ବଜାର ଠାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହାଟ କମ୍ପ୍ଲେକ୍ସରେ ପୌରପାଳିକା ତରଫରୁ ନିର୍ମାଣ କରାଯାଇଥିବା ଦୋକାନ ଗୃହ ବଣ୍ଟନ ସମୟରେ ବର୍ତ୍ତମାନ ଏଠାରେ ବ୍ୟବସାୟ କରୁଥିବା ଲାଇସେନ୍ସ ଧାରୀ ଦୋକାନୀ ମାନଙ୍କୁ ଦୋକାନ ଗୃହ ଆବଣ୍ଟନରେ ପ୍ରାଥମିକତା ଦିଆଯିବ। ଏତଦ ବ୍ୟତୀତ ଷ୍ଟେସନ ବଜ଼ାର ଠାରେ ଦୈନିକ ବଜାରରେ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କ ପାଇଁ ମଧ୍ୟ ଦୋକାନ ଗୃହର ବ୍ୟବସ୍ଥା କରାଯିବ।
ତେଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ସୂଚୀତ କରାଯିବା ସହ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
