ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳିଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ‘ମା’ ଆଦିଶକ୍ତି ଉଦ୍ୟୋଗ ପରିସର’ର ଶୁଭ ଉଦ୍ଘାଟନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସହଭାଗିତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ଉଦ୍ୟୋଗ ପରିସର ମାଧ୍ୟମରେ ୫୦୦ରୁ ଅଧିକ ମହିଳା ଉପକୃତ ହେବେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ ଯେ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱାବଲମ୍ବନ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଦକ୍ଷତା ବିକାଶ ଓ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ସେ କହିଥିଲେ ।
ଉଦ୍ୟୋଗ ପରିସରରେ ସିଲାଇ, ଛତୁ ଚାଷ, ଶାଳପତ୍ର ଥାଳି ପ୍ରସ୍ତୁତି, ଅଗରବତୀ, ମହମବତୀ ଏବଂ ଛତୁଆ ପ୍ରସ୍ତୁତି ଭଳି ବିଭିନ୍ନ ଜୀବିକାମୂଳକ ପ୍ରଶିକ୍ଷଣ ଓ ଉତ୍ପାଦନ କାର୍ଯ୍ୟକ୍ରମର ସୁବିଧା ଉପଲବ୍ଧ ହେବ । ଏହା ମାଧ୍ୟମରେ ମହିଳାମାନେ ନିଜ କୌଶଳର ବିକାଶ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ । ଏହି ଉଦ୍ୟୋଗ ପରିସର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ବାରିପଦା ଦ୍ୱାରା ପରିଚାଳିତ ହେବ ।
ସମ୍ମାନିତ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ମହିଳାମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧ୍ୟକ୍ଷ ଡ. ବୁଢ଼ାନ ମୁର୍ମୁ, ଏସ୍ଡିସି ଉପାଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ସିଂ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ, ପୂର୍ବତନ ବିଧାୟକ ଶ୍ରୀ କାଦ୍ରା ସୋରେନ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ବହୁ ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, ମିଶନ ଶକ୍ତିର ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
