ଭୁବନେଶ୍ୱର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖଣ୍ଡଗିରି ଓଭରବ୍ରିଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ରେ ଯାଉଥିବା ଦୁଇ ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇଗଲା ଗାଡ଼ି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଫେରାର ଗାଡ଼ିକୁ ଠାବ କରିବା ପାଇଁ ସିସିଟିଭି ଯାଞ୍ଚ ସହ ତଦନ୍ତ ଜୋରଦାର କରିଛି ଖଣ୍ଡଗିରି ଥାନା ପୋଲିସ ।
ସେହିପରି ସୋମବାର ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନରେ ଚାପି ହୋଇଯାଇଥିଲା ଗୋଟିଏ ନିରୀହ ଜୀବନ । ଭୁବନେଶ୍ୱର ଶାସ୍ତ୍ରୀନଗର ଟ୍ରାଫିକ ପୋଷ୍ଟରେ ନିୟମ ମାନି ବାଇକ୍ରେ ଠିଆ ହୋଇଥିବା ୩୪ ବର୍ଷୀୟ ଦେବୀପ୍ରସାଦ ରାଉତରାୟଙ୍କୁ ପଛପଟୁ ଧକ୍କା ଦେଇଥିଲା ଗୋଟିଏ ବେପରୁଆ ମର୍ସିଡିଜ୍ କାର୍ । ଧକ୍କା ଦେବା ପରେ ପ୍ରାୟ ୩୦୦ ମିଟର ଯାଏଁ ଘୋଷାଡ଼ି ନେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଖାରବେଳନଗର ଥାନା ପୋଲିସ ଜବତ କରିଥିଲା । ଏଥିସହ ସମ୍ପୃକ୍ତ ଡ୍ରାଇଭରକୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିଥିଲା ।
