ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ନିଶା କାରବାର। ସେ ପୁଣି ନୂଆ ନୂଆ ବିଭିନ୍ନ ଉପାୟରେ। ପ୍ରେମ ଆଉ ପରିବାରର ଆଳରେ ଚାଲିଥିଲା ନିଶା ବେପାର। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ନୟାଗଡ଼ରେ ମାଡ଼ି ବସିଲା ଅବକାରୀ ବିଭାଗ। ପୁଲିସ ଏହି ‘ଲୈଲା ମଜନୁ’ ଗ୍ୟାଙ୍ଗକୁ କାବୁ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।
କନ୍ଧମାଳରୁ ଭୁବନେଶ୍ୱରକୁ ଭାୟା ନୟାଗଡ଼ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଗୁପ୍ତ ସୂଚନା ରହିଥିଲା। ଏହି ସୂଚନା ଆଧାରରେ ଅବକାରୀ ଟିମ୍ ନୟାଗଡ଼ ଅଞ୍ଚଳରେ ଛକି ରହିଥିଲେ। ଦ୍ରୁତ ଗତିରେ ଆସୁଥିବା ଦୁଇଟି ଦାମୀ କାରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚାଲାଣକାରୀମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଅବକାରୀ ବିଭାଗର ବହୁ ଚେଷ୍ଟା ପରେ ଶେଷରେ ସେମାନଙ୍କୁ ମାଡ଼ି ବସିଥିଲା। ଯାଞ୍ଚ କରିବା ସମୟରେ ଗାଡ଼ି ଭିତରୁ ପ୍ରାୟ ୭୦ କିଲୋ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ଦାମୀ କାର୍ ମଧ୍ୟ ଜବତ କରାଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଗଞ୍ଜେଇ ଚାଲାଣ ରାକେଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ। କାହାକୁ ସନ୍ଦେହ ନହେବା ପାଇଁ ସୁନ୍ଦରୀ ମହିଳା ଜଣକ ନିଜ ସ୍ୱାମୀ ଓ ଅନ୍ୟମାନଙ୍କ ସହ ମିଶି ପରିବାର ଭଳି ଦାମୀ ଗାଡ଼ିରେ ଯାତ୍ରା କରୁଥିଲେ, ଯାହାଫଳରେ ପୋଲିସ ସେମାନଙ୍କୁ ଅଟକାଇବ ନାହିଁ। କିନ୍ତୁ ଅବକାରୀ ବିଭାଗର ଚତୁରତା ଯୋଗୁଁ ଏହି ଚାଲାକି ଧରାପଡ଼ି ଯାଇଛି। ବର୍ତ୍ତମାନ ପୁଲିସ ଓ ଅବକାରୀ ବିଭାଗ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛନ୍ତି ।
