Images

ରଥ ଉପରେ ଅନଧିକୃତ ପ୍ରବେଶ ଓ ମୋବାଇଲ ବ୍ୟବହାର ସଂପୂର୍ଣ୍ଣ ମନା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରାଜ୍ୟ

ପୁରୀ:ଆଜ୍ଞାମାଳ ବିଜେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପ୍ରସ୍ତୁତି ଓ ନୀତିକାନ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବେଶ ସୂଚାରୁ ଭାବେ ସମ୍ପନ୍ନ ହୋଇଛି। ଆଜି ମଧ୍ୟ ଉଭାରେ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଓ ପରମ୍ପରା ଅନୁଯାୟୀ ଚାଲିଥିବା ସେ କହିଛନ୍ତି। ଆସନ୍ତାକାଲି ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଆରମ୍ଭ ହେବ ବୋଲି ପ୍ରଶାସନ ଆଶାବାଦୀ। ଏହାକୁ ସୂଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି।ରଥଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିୟମ ଲାଗୁ କରାଯାଇଛି। କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ରଥ ଉପରକୁ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ରଥ ଉପରେ ମୋବାଇଲ ଫୋନ ବ୍ୟବହାର ମଧ୍ୟ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସମସ୍ତ କାର୍ଯ୍ୟକଳାପର ଭିଡିଓଗ୍ରାଫି କରାଯିବ ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି।

ଏହାସହ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ଡିଜିଟାଲ ହୁଣ୍ଡି ବ୍ୟବସ୍ଥାର ଲୋକାର୍ପଣ କରିବେ ବୋଲି ସୂଚନା ମିଳିଛି। ରଥଯାତ୍ରା ଦିନ ଭିଆଇପିଙ୍କ ସହ ସାଧାରଣ ଭକ୍ତମାନଙ୍କ ପାଇଁ ମଧ୍ୟ ସୁବ୍ୟବସ୍ଥିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।