IMG 20260629 WA0246

କାର୍ଯ୍ୟଭାର ଗ୍ରହଣ ପରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ  ସାମ୍ବାଦିକ ସମ୍ମିଳନୀ

ରାଜ୍ୟ
ବାରିପଦା : ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାର ପ୍ରଥମ ନବନିଯୁକ୍ତ ଆରକ୍ଷୀ ଅଧୀକ୍ଷକ (ଏସ୍‌.ପି), ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର  ଔପଚାରିକ ଭାବେ ତା’ଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ରାଇରଙ୍ଗପୁରସ୍ଥିତ ତା’ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ କହିଥିଲେ ରାଇରଙ୍ଗପୁର ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ଏବଂ ନୂତନ ପୁଲିସ ଗଠନ କ୍ରମେ ଜିଲ୍ଲାରେ ପ୍ରଥମ ଅଧିକ୍ଷକ ଭାବେ ଅବସ୍ଥାପିତ ତାଙ୍କ ପାଇଁ ଏକ ସୌଭାଗ୍ୟ। ନୂତନ ପୁଲିସ ଜିଲ୍ଲା ଗଠନ ହେତୁ ଏ ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନଙ୍କ ଅନେକ କିଛି ଆଶା ଆକାଂକ୍ଷା ରହିଥିବ। ଏହାକୁ ଦୃଷ୍ଟିରୁ ରଖି ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବାକୁ ପ୍ରାଥମିକତା ଦେବା ସହିତ ସେଥିପ୍ରତି ସେ ପ୍ରତିଶୃତିବଦ୍ଧ ବୋଲି  କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁ ସୁରକ୍ଷା, ସଡ଼କ ସୁରକ୍ଷା, ସାଇବର ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ସହ ପୁଲିସର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ। ଜନସାଧାରଣଙ୍କ ସହଯୋଗ ବିନା ଆଇନଶୃଙ୍ଖଳା ବଜାୟ ରଖିବା ସମ୍ଭବ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହାସହ ଥାନା ସ୍ତରରେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ, ଏକ ସ୍ୱଚ୍ଛ ଓ ଦାୟିତ୍ୱବାନ ପୁଲିସ ବ୍ୟବସ୍ଥା ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଟିମ୍‌ୱର୍କରେ କାମ କରି ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଆହ୍ୱାନ ଦେଇଥିଲେ।ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ତଥା ସମାଜରେ ସୁଶାସନ ପ୍ରତିଷ୍ଠା ଦିଗରେ ଗଣମାଧ୍ୟମ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ  ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିରପେକ୍ଷ ଓ ସଠିକ୍ ସୂଚନା ପ୍ରସାରଣ କରିବା ସହ ପୁଲିସକୁ ଗଠନମୂଳକ ସହଯୋଗ କରିବାକୁ ଶ୍ରୀ ପାତ୍ର ଅନୁରୋଧ କରିଥିଲେ।
ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ସୌହାର୍ଦ୍ୟପୂର୍ଣ୍ଣ ଭାବ ବିନିମୟ କରିଥିଲେ। ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଯଦୁନାଥ ଜେନା,ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ,  ମମତା ସାହୁ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି, କରଞ୍ଜିଆ ଉପଖଣ୍ଡ ଆରକ୍ଷୀ ଅଧିକାରୀ  ନବ ନାୟକ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ  କାର୍ଯ୍ୟାଳୟର ବିଭିନ୍ନ ପଦାଧିକାରୀ, କର୍ମଚାରୀବୃନ୍ଦ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।