IMG 20260629 WA0283

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା : ଚଳିତ ବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା-୨୦୨୬କୁ ଶାନ୍ତି, ଶୃଙ୍ଖଳା, ସୁରକ୍ଷା ଏବଂ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ସୁପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବାରିପଦା ଦେବତ୍ତର ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ  ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
          ବୈଠକରେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ଶ୍ରୀ ଭାସ୍କର ମଢେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଧର୍ମାନନ୍ଦ ବେହେରା,  ବାରିପଦା ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।
         ବୈଠକରେ ରଥ ନିର୍ମାଣ, ନୀତିକାନ୍ତି ପାଳନ, ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ ଆଲୋକୀକରଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ସିସିଟିଭି ନଜରଦାରୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସମ୍ପୃକ୍ତ ସମସ୍ତ ବିଭାଗ, ଦେବତ୍ତର ବିଭାଗ ଓ ସେବାୟତମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
       ବୈଠକରେ  ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା ରାଜ୍ୟର ଏକ ପ୍ରମୁଖ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା । ଏହି ପବିତ୍ର ଉତ୍ସବକୁ ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ, ସେବାୟତ ଓ ଜନସାଧାରଣଙ୍କ ସମନ୍ୱିତ ସହଯୋଗ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ ।
         ଜିଲ୍ଲାପାଳ ଶ୍ରୀ  ସୟ କହିଥିଲେ ଯେ, ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ପ୍ରତ୍ୟେକ ବିଭାଗକୁ ସମୟବଦ୍ଧ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ରଥଯାତ୍ରାର କାର୍ଯ୍ୟନିର୍ଘଣ୍ଟ ଓ ପ୍ରସ୍ତୁତି ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା । ରଥଯାତ୍ରା ସମୟରେ ବଡଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ବିଦ୍ୟୁତ ଆଲୋକୀକରଣ, ଯଥେଷ୍ଟ ପୋଲିସ ମୁତୟନ, ଟ୍ରାଫିକ ପରିଚାଳନା, ସିସିଟିଭି ନଜରଦାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
          ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା, ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ଅଗ୍ନିକାଣ୍ଡ ଏବଂ ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହର ଏବଂ ବଡଦାଣ୍ଡ ଅଞ୍ଚଳରେ ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବଡଦାଣ୍ଡରେ ଆମିଷ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିବା, ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ସହ ନିୟମିତ ଚଢ଼ାଉ କରିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
         ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଦେବତ୍ତର ବିଭାଗର କର୍ମକର୍ତ୍ତା, ସେବାୟତ, ରଥ ମହାରଣା, ରଥ ମହାପାତ୍ର, ପରିଛା ଏବଂ ସହରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇ ରଥଯାତ୍ରାର ସଫଳ ଆୟୋଜନ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।