ବାରିପଦା : ରଜପର୍ବ ବିଭିନ୍ନ ଜାଗାରେ ଧୁମଧାମରେ ପାଳନ କରାଯାଉଛି l କେଉଁଠି ରଜଦୋଳି ତ ଆଉ କେଉଁଠି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ l ମାତ୍ର ତିରିଂ ବ୍ଲକର ବଡ଼ନାରିଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଦେଓଗାମ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରଜ ପର୍ବ ଦିନ ଉକ୍ତ ଗ୍ରାମ ସମେତ ଆଖପାଖ ଅଞ୍ଚଳର ଚଳିତ ବର୍ଷ ମ୍ୟାଟ୍ରିକ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯାଇଛି l
ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟ ଆନୁକୂଲ୍ୟରେ ବାଦାମପାହାଡ଼ ନିକଟସ୍ଥ ହାଟବାଦଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଖ୍ୟାତନାମା ହୋ, ସାନ୍ତାଳୀ ଆଲବମ୍ ଅଭିନେତା ରବିନ୍ଦ୍ରନାଥ ତିୟୁ, ଭିଲାଇସ୍ଥିତ ଭେଲର ଇଞ୍ଜିନିଅର କ୍ରିଷ୍ଣା ବୈପାଇଙ୍କ ପ୍ରତ୍ୟକ୍ଷ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିରିଂ ବ୍ଲକ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ସମ୍ମାନୀତ ଅତିଥି ମାଘୁଆସ୍ଥିତ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ କୁମାର ଗିରି, ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ଜାମଦା ବ୍ଲକ ତାରଣା ପଂଚାୟତର ସମିତିସଭ୍ୟ ଦିକୁଲ ବାଗେ, ତୁଡ଼କାମ୍ ବାସିନ୍ଦା ରାମଚନ୍ଦ୍ର ସୟ ପ୍ରମୁଖ ମଞ୍ଚାସୀନ ଥିଲେ l
